ନିର୍ବାଚନରେ ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କ ଦେଖାନାହିଁ । ଏପଟେ ଗଡ଼ିଯାଉଛି ସମୟ, ହେଲେ ଚୂଡ଼ାନ୍ତ ହେଉନି ପ୍ରାର୍ଥୀ ତାଲିକା । ଚୁପ୍ ବସିଛି କଂଗ୍ରେସ …

191

କନକ ବ୍ୟୁରୋ: ଅଜୟ କୁମାର ଓଡିଶାର ପ୍ରଭାରୀ ନିଯୁକ୍ତ ହେବା ପରେ କଂଗ୍ରେସ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ମାତ୍ର ୪୭ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ବସିଛି । ବାକି ଆସନରେ କଂଗ୍ରେସର ପ୍ରାର୍ଥୀ କିଏ ହେବେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଜଣାପଡିଛି ପ୍ରଭାରୀ ଅନ୍ୟ ରାଜ୍ୟରେ ବ୍ୟସ୍ତ ଅଛନ୍ତି । ତେଣୁ କଂଗ୍ରେସ କୁଆଡେ ଟିକେଟ୍ ଘୋଷଣା କରିବାରେ ବିଳମ୍ବ କରୁଛି ।

  • ପ୍ରାର୍ଥୀ ଘୋଷଣାରେ ପଛରେ ପଡିଛି କଂଗ୍ରେସ!
  • କୁଆଡ଼େ ଗଲେ ପ୍ରଭାରୀ ଅଜୟ କୁମାର?

ବିଜେପି ଓ ବିଜେଡି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରୁ ସିଂହଭାଗ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ କଂଗ୍ରେସ ଏଯାବତ ୪୭ ବିଧାନସଭା ଓ ୮ ଲୋକସଭା ଆସନ ଘୋଷଣା କରି ବସିଛି । ନେତା ଓ ଜନତା ବାକି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଜାଣିବାକୁ ଅପେକ୍ଷା କରିଛନ୍ତି । ଯେତେବେଳେ ପ୍ରଚାର ପାଇଁ କଂଗ୍ରେସ ୧୦୦ ଏଲଇଡି ଗାଡିର ଶୁଭାରମ୍ଭ କରିଛି । ସେତେବେଳେ କାହିଁକି ଧିମେଇ ଯାଇଛି ପ୍ରାର୍ଥୀ ତାଲିକା ଘୋଷଣା ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଅଜୟ କୁମାର ସକ୍ରିୟ ହୋଇ ବିଜେଡି-ବିଜେପି ବାହାଘର କରିଥିଲେ । ଅନେକ ନିଲମ୍ବିତ ନେତାଙ୍କ ଉପରୁ କଟକଣା ହଟାଇ କଂଗ୍ରେସକୁ ସକ୍ରିୟ କରାଇଛନ୍ତି । ହେଲେ ଏବେ ଟିକେଟ୍ ଘୋଷଣା ବେଳେ ଅଜୟ କୁମାରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢିଛି ।

  • ତାମିଲନାଡୁ ପ୍ରଚାରରେ ବ୍ୟସ୍ତ ଅଜୟ କୁମାର!
  • ପ୍ରଥମ ପର୍ଯ୍ୟାୟରେ ରହିଛି ତାମିଲନାଡୁ ଲୋକସଭା

ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଯେଉଁଥିରେ ତାମିଲନାଡୁର ୩୯ ଏବଂ ପୁଡୁଚେରୀର ଗୋଟିଏ ଲୋକସଭା ଆସନ ରହିଛି । ଅଜୟ କୁମାର ଓଡିଶା ସହିତ ତାମିଲନାଡୁ ଏବଂ ପୁଡୁଚେରୀ କଂଗ୍ରେସର ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି । ଅନ୍ୟପଟେ ଓଡିଶାର ମେ ୧୩ରୁ ମତଦାନ ଆରମ୍ଭ ହେବ । ତେଣୁ ଓଡିଶାରେ ଟିକେଟ୍ ଘୋଷଣାରେ ବିଳମ୍ବ ହେଉଛି ବୋଲି କୁହାଯାଉଛି ।

ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ସହିତ ଅନ୍ୟାନ୍ୟ ଦଳ ମେଣ୍ଟ କରିଛନ୍ତି । ଏଠାରେ କ୍ଷମତାରେ ଉଭୟ ଦଳ ରହିଛନ୍ତି । ଯେହେତୁ ବିଜେପି ଦକ୍ଷିଣ ଭାରତରେ ଖାତା ଖୋଲିବାକୁ ଅପେକ୍ଷା କରିଛି । ଏପରି ସ୍ଥିତିରେ କଂଗ୍ରେସ ମଧ୍ୟ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ତେବେ ପଣା ସଂକ୍ରାନ୍ତି ଅବସରରେ ସବୁ ଟିକେଟ୍ ଘୋଷଣା କରି କଂଗ୍ରେସ ପ୍ରଚାରକୁ ଜୋରଦାର କରିବ ବୋଲି କୁହାଯାଉଛି । ଏହି ସମୟରେ ପ୍ରଭାରୀ ଓଡିଶା ଗସ୍ତରେ ଆସିବେ ବୋଲି ମଧ୍ୟ ଖବର ରହିଛି । ଗୋଟିଏ ପଟେ ପ୍ରଭାରୀ ତାମିଲନାଡୁ ନିର୍ବାଚନରେ ବ୍ୟସ୍ତ । ଅନ୍ୟପଟେ କଂଗ୍ରେସ ନେତା ଦଳ ଡିଆଁପର୍ବରେ ସାମିଲ ଅଛନ୍ତି । ଅନ୍ୟପଟେ କିଛି ସ୍ଥାନରେ ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଦଳରେ ସାମିଲ କରାଇ ଟିକେଟ୍ ଦେବ ବୋଲି ଯୋଜନା କରୁଛି ଦଳ ।