ଅର୍ଦ୍ଧଶତକରୁ ଶତକ, ମାତ୍ର ୬ ମିନିଟ୍  । ଗୁଜୁରାଟ ବିପକ୍ଷରେ ଜଲୱା ଦେଖାଇଲେ ଜ୍ୟାକ୍ସ, କୋହଲି କହିଲେ ଛକା ନ ମାରି ଭଲ କରିଥିଲି । 

2,161

କନକ ବ୍ୟୁରୋ : ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ବିଜୟକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା । କାରଣ ମାତ୍ର ୧୬ ଓଭର ମଧ୍ୟରେ ୨୦୧ ରନର ଟାର୍ଗେଟକୁ ୧ ୱିକେଟ ହରାଇ ହାସଲ କରିଥିଲା ଆରସିବି । ବେଙ୍ଗାଲୁରୁର ଏହି ବିଜୟ ପଛର ନାୟକ ଥିଲେ ବିସ୍ଫୋରକ ବ୍ୟାଟର ୱିଲ ଜ୍ୟାକ୍ସ ଓ ବିରାଟ କୋହଲି । ଖାସକରି ୱିଲ୍ ଜ୍ୟାକ୍ସଙ୍କ ବିସ୍ଫୋରକ ଇନିଂସ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ୱିଲ୍ ଜ୍ୟାକ୍ସ ପରବର୍ତ୍ତୀ ୧୦ଟି ବଲରେ ଆଉ ୫୦ ରନ୍ କରିବା ସହ ଆଇପିଏଲରେ ନିଜର ପ୍ରଥମ ଶତକ ପୂରା କରିଥିଲେ । ସବୁଠୁ ରୋଚକ କଥା ହେଲା, ଜ୍ୟାକ୍ସଙ୍କ ଅର୍ଦ୍ଧଶତକରୁ ଶତକ ଯାତ୍ରା ପୂରା ହେବାକୁ ମାତ୍ର ୬ ମିନିଟ୍ ସମୟ ଲାଗିଥିଲା । ୬ଟା ୪୧ରେ ଅର୍ଦ୍ଧଶତକ ହାସଲ କରିଥିବା ୱିଲ୍ ଜ୍ୟାକ୍ସ ୬ଟା ୪୭ ମିନିଟରେ ଦଳର ବିଜୟ ସହ ନିଜର ପ୍ରଥମ ଶତକକୁ ସେଲିବ୍ରେସନ କରୁଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ୱିଲ ଜ୍ୟାକ୍ସ ଏତେ ଯେ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବେ ତାହା ନନଷ୍ଟ୍ରାଇକର ଏଣ୍ଡରେ ଥିବା ବିରାଟ କୋହଲି କଳ୍ପନା ମଧ୍ୟ କରିନଥିଲେ । ବରଂ ୱିଲ୍ ଜ୍ୟାକ୍ସଙ୍କର ପ୍ରତିଟି ଛକାର ଆନନ୍ଦ ଉଠାଇଥିଲେ ବିରାଟ ।

ମ୍ୟାଚ୍ ପରେ ଆରସିବିର ଡ୍ରେସିଂ ରୁମରେ ଜ୍ୟାକ୍ସଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ସାଥୀ ଖେଳାଳୀ । ଯେଉଁ ସମୟରେ ବିରାଟ କୋହଲି ମଧ୍ୟ ପଡିଆରେ ଘଟିଥିବା ଘଟଣା ବାବଦରେ ଉଲ୍ଲେଖ କରିଥିଲେ । ଜ୍ୟାକ୍ସଙ୍କୁ ବିରାଟ କହିଥିଲେ, ଅର୍ଦ୍ଧଶତକ ପରେ ଶତକୀୟ ଇନିଂସ ପାଇଁ ମାତ୍ର ୧୦ଟି ବଲ ଖେଳିଛ । ଏହାସହ କୋହଲି କହିଛନ୍ତି, ୧୬ ଓଭରର ପ୍ରଥମ ବଲରେ ଛକା ମାରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଛକା ନ ମାରି ପାରିବାରୁ ନିଜ ଉପରେ ରାଗିଥିଲି । କିନ୍ତୁ ଯେତେବେଳେ ସ୍କୋରବୋର୍ଡରେ ଜ୍ୟାକ୍ସଙ୍କ ୯୪ ରନ୍ ହୋଇଥିଲା ଏବଂ ଦଳକୁ ବିଜୟ ପାଇଁ ୧ ରନ୍ ଆବଶ୍ୟକ ଥିଲା ସେତେବେଳେ ଭାବିଥିଲି ଛକା ନ ମାରି ଭଲ କରିଛି ।  କାରଣ ବିଜୟ ପାଇଁ ୧ ରନ୍ ଆବଶ୍ୟକ ଥିବା ବେଳେ ଛକା ମାରି ନିଜର ଶତକ ପୂରା କରିଥିଲେ ୱିଲ୍ ଜ୍ୟାକ୍ସ ।

ଏହାସହ ୱିଲ୍ ଜ୍ୟାକ୍ସଙ୍କ ଛକା ଓ ଚୌକା ପଛର ଅନ୍ୟ ଏକ କାରଣ ମଧ୍ୟ କହିଛନ୍ତି କୋହଲି । ମ୍ୟାଚ୍ ମଝିରେ ୱିଲ୍ ଜ୍ୟାକ୍ସ ୨ ରନ୍ ପାଇଁ କହିଥିଲେ । କିନ୍ତୁ ୨ ରନ୍ ଦୌଡିବା ପରେ ଯେତେବେଳେ ଜ୍ୟାକ୍ସ ପଛକୁ ବୁଲି ଚାହିଁଥିଲେ ସେତେବେଳେ ମୁଁ ୩ ରନ୍ ଦୌଡିବାକୁ ପ୍ରସ୍ତୁତ ଥିଲି । ସେତେବେଳେ ଜ୍ୟାକ୍ସ ସ୍ଥିର କରିଥିଲେ କି ଆଉ ଦୌଡିକି ରନ୍ ନେବିନି । ବରଂ ପ୍ରତି ବଲରେ ଛକା କିମ୍ବା ଚୌକା ମାରିବି । କାରଣ ଷ୍ଟାଡିୟମରେ ବହୁତ ଗରମ ହେଉଥିଲା ବୋଲି ଜ୍ୟାକ୍ସ କହିଥିଲେ । ସାଥୀ ଖେଳାଳୀ ଭାବେ ପଡିଆରେ ଜ୍ୟାକ୍ସଙ୍କର ଏହି ବିସ୍ଫୋରକ ଇନିଂସର ମଜା ଉଠାଇଥିଲେ କୋହଲି । ଉଭୟ ବିରାଟ ଓ ଜ୍ୟାକ୍ସଙ୍କ ମଧ୍ୟରେ ୭୪ ବଲରେ ୧୬୦ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଯାହାର ଆରସିବିର ବିଜୟକୁ ସହଜ କରିଥିଲା । ୱିଲ୍ ଜ୍ୟାକ୍ସ ଅପରାଜିତ ଶତକ ହାସଲ କରିଥିବା ବେଳେ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ୭୦ ରନର ଇନିଂସ ଖେଳିଥିଲେ କୋହଲି ।