ବିଜେଡି ଜିତିଲେ ପୁରୀରେ ହେବ ସିନେମା ହଲ୍! ଚର୍ଚ୍ଚାରେ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କ ପ୍ରତିଶ୍ରୁତି

553

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ ହେଉଛି ସେଇ ସହର, ଯେଉଁଠି ଓଡ଼ିଶାର ପ୍ରଥମ ପ୍ରେକ୍ଷାଳୟ ଗଢ଼ି ଉଠିଥିଲା । ପ୍ରଥମ ଓଡ଼ିଆ ସିନେମା, ସୀତା ବିବାହ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ସହର ଆଜିର ଦିନରେ ସିନେମା ହଲ୍ଟିଏ ନାହିଁ କହିଲେ, ହୁଏତ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ କଥାଟି ସତ । ଆଉ ନିର୍ବାଚନୀ ପରିବେଶରେ ପୁରୀ ଲୋକଙ୍କ ପାଇଁ ଏକ ସିନେମା ହଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡିର ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି । ସମର୍ଥକଙ୍କ ଗହଣରେ ସୁନୀଲ ମହାନ୍ତି ମଲଟି ସ୍କ୍ରିନ୍ ସିନେମା ହଲ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ଦିନ ଥିଲା ପୁରୀ ସହରରେ ୫-୫ଟି ସିନେମା ହଲ୍ ଥିଲା । ହେଲେ ଆଜିର ଦିନରେ ଗୋଟିଏ ମଧ୍ୟ ନାହିଁ । ପ୍ରଥମ ଓଡ଼ିଆ ସିନେମା ରିଲିଜ୍ ହୋଇଥିବା ଲକ୍ଷ୍ମୀ ଟକିଜ୍ ଏବେ ବିଲୁପ୍ତପ୍ରାୟ । ମହାବାତ୍ୟା ଏବଂ ଫନି ବାତ୍ୟା ମାଡ଼ରେ ବାରମ୍ବାର ଆଘାତ ପାଇଥିବା ଐତିହାସିକ ଲକ୍ଷ୍ମୀ ଟକିଜ୍ ଅଣ୍ଟା ସଳଖି ଠିଆ ହୋଇପାରୁନି । ତେବେ ଏହାର ପୁନଃରୁର୍ଦ୍ଧାର ପାଇଁ ସାଧାରଣ ଜନତା ଦାବି କରୁଥିବା ବେଳେ ନିର୍ବାଚନୀ ମାହୋଲର ଏହି ପ୍ରତିଶ୍ରୁତି ସାଧାରଣ ଜନତାଙ୍କ ଆହୁରି ଆମୋଦିତ କରୁଛି ।

ପୁରୀ କେବଳ ଅଧ୍ୟାତ୍ମିକ ସହର ନୁହେଁ ବରଂ ପର୍ଯ୍ୟଟନର ସହର ଭାବେ ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀ ସହରକୁ ଆସୁଛନ୍ତି । ଏଭଳି ସ୍ଥିତିରେ ପୁରୀ ସହରରେ ଏକ ମଲଟି ସ୍କ୍ରିନ୍ ସିନେମା ହଲର ପରିକଳ୍ପନାକୁ କେବଳ ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ ବରଂ ଲୋକଙ୍କ ଆବଶ୍ୟକତା ବୋଲି ବିଚାର କରୁଛନ୍ତି ।