କେନ୍ଦ୍ରୀୟ ନେତାଙ୍କ ନଜରରେ ରହିବ ଓଡିଶା । ୩୦ ଜିଲ୍ଲା ଜଗିବେ ୩୦ ନେତା । ରୁଦ୍ଧଦ୍ୱାର ବୈଠକ ପରେ ବିଜେପି ରାଜ୍ୟ ନେତା ଓ କର୍ମୀ ଉତ୍ସାହିତ ।

1,700

କନକ ବ୍ୟୁରୋ: ଓଡ଼ିଶା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାରେ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଘେରିବାକୁ ହୋଇଛି ଯୋଜନା । ପ୍ରଥମେ ଅମିତ ଶାହ ଓ ପରେ ଜେପି ନଡ୍ଡା ଆସି ବିଜେଡିକୁ ଘେରିବା ସହ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ପରିଚାଳନାରେ ଗଠନ ହୋଇଛି କେନ୍ଦ୍ରୀୟ ମନିଟରିଂ ଟିମ୍ । ଏହାସହ ୩୦ ଜିଲ୍ଲାରେ ୩୦ ନେତା ଜଗିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

  • ଓଡିଶା ପାଇଁ ବିଜେପିର ନୂଆ ପ୍ଲାନ
  • କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା

ରାଜ୍ୟରେ ପ୍ରଚାର ବେଳେ ବିଜେଡି ସରକାରଙ୍କୁ ଘେରିବା ପାଇଁ ବିଜେପି କରିଛି ନୂଆ ରଣନୀତି । ପ୍ରଥମେ ବିଜେପିର ଚାଣକ୍ୟ ଅମିତ ଶାହା ଆସିଲେ. ପରେ ଜାତୀୟ ସଭାପତି ଜେ.ପି ନଡ୍ଡା । ସମାବେଶରେ ଏହି ଦୁଇ ନେତା ବିଜେଡିକୁ ଘେରିବା ପରେ କର୍ମକର୍ତ୍ତାଙ୍କୁ ରୁଦ୍ଧଦ୍ୱାର ବୈଠକରେ ବିଜୟମନ୍ତ୍ର ଦେଇଛନ୍ତି । ଆଉ ଏହାକୁ ନେଇ ଉତ୍ସାହିତ ଅଛନ୍ତି ବିଜେପିର ରାଜ୍ୟ ନେତା ଓ କର୍ମୀ ।

  • କେନ୍ଦ୍ରୀୟ ନେତା ତୁହାକୁ ତୁହା ଗସ୍ତ କରି ସରକାରଙ୍କୁ ଘେରିବା
  • ଓଡିଆ ଭାଷା ଓ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବା
  • କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ କହିବା
  • ଦଳର ସଫଳତା ପାଇଁ ପ୍ରତ୍ୟେକ କର୍ମୀଙ୍କୁ ବିଶ୍ୱାସକୁ ନେଇ ଦାୟିତ୍ୱ ଦେବା
  • ତଳସ୍ତରରେ ଠିକ ରଣନୀତି କରି ବିଜେଡିକୁ କାଉଣ୍ଟର କରିବା

ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଜୋସରେ ରାଜ୍ୟ ବିଜେପି । ସୋନପୁରରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଭରିଥିଲେ ଶାହ । ପରେ ଭୁବନେଶ୍ୱର ଆସି ରାଜ୍ୟ କାଯ୍ୟକର୍ତ୍ତାଙ୍କୁ ବିଜେଡି ବିରୋଧରେ ଲଢେଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଗଢିବ ଓ କେନ୍ଦ୍ରର ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ । ଏହାପରେ ବିଜେଡି ବିରୋଧରେ ଲଢେଇକୁ ଜୋରଦାର କରିବାକୁ ରଣନୀତି କରିଛି ବିଜେପି ।

  • ରାଜ୍ୟର ନିର୍ବାଚନ ପରିଚାଳନା ପାଇଁ ଗଠନ ହୋଇଛି କେନ୍ଦ୍ରୀୟ ମନିଟରିଂ ଟିମ୍
  • କେନ୍ଦ୍ରୀୟ ନେତୃତ୍ୱ ନେବେ ଏହାର ପରିଚାଳନା ଦାୟିତ୍ୱ
  • ୩୦ ଜିଲ୍ଲାରେ ରହିବେ ୩୦ କେନ୍ଦ୍ରୀୟ ନେତା

ସୂଚନାଯୋଗ୍ୟ ଯେ, ଭୁପେନ୍ଦ୍ର ଯାଦବ ଓ ବିପ୍ଲବ ଦେବ ଭଳି ନେତା ଓଡିଶାରେ ଡେରା ପକାଇବା ଆରମ୍ଭ କରିସାରିଲେଣି । ଆଗକୁ ଆହରୁ ବଡ ନେତା ଆସିବେ ବୋଲି ଜଣାପଡିଛି । ଆଉ ଏସବୁ ଭିତରେ ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପିରେ ଜୋଶ ଭରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଫାୟାରବ୍ରାଣ୍ଡ ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ପାଇଁ ବି ନକ୍ସା ପ୍ରସ୍ତୁତ କରୁଛି ବିଜେପି ।