କୋଭିସିଲ୍ଡ ଟିକା ବାବଦରେ ସତ ମାନିଲା କମ୍ପାନୀ । ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା

305

କନକ ବ୍ୟୁରୋ : କରୋନା ଟିକା କୋଭିଶିଲ୍ଡକୁ ନେଇ ଆସିଲା ଚିନ୍ତାଜନକ ଖବର । ଏହି ଟିକା ନେଇଥିବା ଲୋକଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଉଥିବା ଅନେକ ସମୟରେ ଅଭିଯୋଗ ଆସିଥାଏ । ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆଷ୍ଟ୍ରାଜେନେକା ମଧ୍ୟ ଏନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି । ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ କାରଣରୁ ମଣିଷ ଶରୀରରେ ରକ୍ତଜମାଟ ବାନ୍ଧିବା ଏବଂ ପ୍ଲେଟଲେଟର ମାତ୍ରା ହ୍ରାସ ପାଇଥାଏ । ଏହାଦ୍ୱାରା ରୋଗୀ ଠାରେ ହୃଦଘାତ ଓ ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖା ଦେଉଛି । ଏହା ଖୁବ ବିରଳ ବୋଲି କୋର୍ଟରେ ଦାଖଲ ତଥ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକା ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଏବେ ପ୍ରମାଣିତ ହୋଇଛି ।

୪ ବର୍ଷ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । କେବଳ ବ୍ରିଟେନ ନୁହେଁ ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯାଇଥିଲା । ଭାରତରେ ମଧ୍ୟ ଆଷ୍ଟ୍ରାଜେନେକା ପୁନେର ଟୀକା ନିର୍ମାଣକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ସହ ମିଶି ଭ୍ୟାକ୍ସିନ୍ ପ୍ରସ୍ତତ କରିଥିଲା । ଦେଶରେ ଏହି ଟୀକାର ୧୭୪.୯୪ କୋଟିରୁ ଅଧିକ ଡୋଜ ଦିଆଯାଇଥିଲା ।

କରୋନା ମହାମାରୀକୁ ୪ ବର୍ଷ ପୂରଣ ହୋଇଥିବା ବେଳେ କୋଭିଶିଲ୍ଡକୁ ନେଇ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଟିକା ନିର୍ମାଣକାରୀ କମ୍ପାନୀ କ୍ଷତିପୂରଣ ଦେଉ ବୋଲି ଦାବି ହେଉଛି ।