ଯୁଦ୍ଧ ଭିତରେ ବଢ଼ିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା । ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା

522

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଆତଙ୍କୀ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ ଲକ୍ଷ୍ୟରେ ରକ୍ତମୁଖା ହୋଇଛି ଆଇଡିଏଫ । ପ୍ରଭାବରେ ଗାଜା ପଟ୍ଟିରେ ବସବାସ କରୁଥିବା ପାଲେଷ୍ଟାନୀୟ ନାଗରିକଙ୍କ ଜୀବନ ଦୁର୍ବିସହ ହୋଇଥିବା ବେଳେ ମାନବୀୟ ସହାୟତା ପହଁଚିବା ମଧ୍ୟ କଷ୍ଟ ହୋଇପଡିଛି । ଏସବୁ ଭିତରେ ଇସ୍ରାଏଲମ ପ୍ରଧାନମନ୍ତ୍ରୀ ବୋଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ଅଡୁଆ ବଢିଛି । ମାମଲାରେ ଅର୍ନ୍ତଜାତୀୟ ଅପରାଧିକ କୋର୍ଟ ବୋଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯୁଦ୍ଧକୁ ନେଇ କରାଯାଇଥିବା ଅଭିଯୋଗ ଆଧାରରେ କେବଳ ପ୍ରଧାନମନ୍ତ୍ରୀ ନୁହେଁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇଡିଏଫ ମୁଖ୍ୟଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହେବାକୁ ଯାଉଛି । ଅକ୍ଟୋବର ୭, ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ୬ମାସ ବିତିିଥିବା ଏହି ନରସଂହାରରେ ଏବେ ସୁଦ୍ଧା ୩୫ହଜାରରୁ ଅଧିକ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅଧିକାଂଶ ନିରୀହ ଶିଶୁଙ୍କ ସହିତ ମହିଳା ମାନେ ରହିଛନ୍ତି । ଏପର୍ଯ୍ୟନ୍ତ ଜାତିସଂଘ ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନ ଏହି ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ଅର୍ନ୍ତଜାତୀୟ ଅପରାଧିକ କୋର୍ଟଙ୍କ ଦ୍ୱାରା ଗିରଫ ପରୱାନା ଜାରି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ନେତାନ୍ୟାହୁ ସରକାରଙ୍କ ଚିନ୍ତା ବଢିଛି । ପ୍ରଶାସନିକ ସ୍ତରରେ ଏହି ଗିରଫଦାରୀକୁ ଏଡାଇବାକୁ ଇସ୍ରାଏଲ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଆଗକୁ ଆସିଛି ଆମେରିକା । ଆଇସିସି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଚେତାବନୀ ଦେଇଛି । ଆମେରିକା ସଦନର ଅଧ୍ୟକ୍ଷ ମାଇକ୍ ଜନସନ୍ ମଧ୍ୟ ନେତାନ୍ୟାହୁଙ୍କ ଗିରଫଦାରୀ ଆଶଙ୍କାକୁ ନିନ୍ଦା କରିଛନ୍ତି । ଆତଙ୍କୀଙ୍କ ଠିକଣାକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବାକୁ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଯୁକ୍ତି ବାଢିଛି ବାଇଡେନ୍ ପ୍ରଶାସନ ।