ସେବାକୁ ସମ୍ମାନ । ଚାକିରିରୁ ଅବସର ନେଲେ ରାଜ୍ୟ ପରିବହନ ପ୍ରାଧିକରଣର ଚତୁର୍ଥ ଶ୍ରେଣୀ କର୍ମଚାରୀ ରିଆଜ୍ ଉଲ୍ ହକ୍ । ପାଖରେ ବସାଇ ସମ୍ମାନର ସହ ବିଦାୟ ଜଣାଇଲେ ପରିବହନ କମିଶନର ।

101

କନକ ବ୍ୟୁରୋ: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଦୀର୍ଘ ଦିନ ଧରି ରାଜ୍ୟ ପରିବହନ ପ୍ରାଧିକରଣରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ସେବା ଦେବା ପରେ ଆଜି ଥିଲା ରିଆଜଉଲ ହକଙ୍କ ଚାକିରି ଜୀବନର ଶେଷ ଦିନ । ଏହାସହ ଆଜି ମଧ୍ୟ ଚାକିରିରୁ ଅବସର ନେଇଥିଲେ ଅତିରିକ୍ତ ପରିବହନ କମିସନର (ବୈଷୟିକ) ଧନଞ୍ଜୟ ସେନାପତି । ଏହି ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ସ୍ଥିର କରିଥିଲେ ପରିବହନ କମିଶନର । ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଚୌକି ପାଖରେ ରିଆଜଙ୍କ ଚୌକି ପକାଇବାକୁ କହିଥିଲେ । ଏହା ଶୁଣି ରିଆଜ ପଛେଇ ପଛେଇ ରହିଥିଲେ । ହେଲେ ଅମିତାଭ ତାଙ୍କୁ ପାଖକୁ ଡାକି ବସାଇଥିଲେ । ବିଦାୟ ଅବସରରେ ଅନେକ ସହକର୍ମୀ ଧନଞ୍ଜୟଙ୍କ ସହ ରିଆଜଙ୍କ ସେବାକୁ ବି ମନେ ପକାଇଥିଲେ । ଏସବୁ ଦେଖି ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ ରିଆଜ । ଏପରିକି ତାଙ୍କୁ ମଧ୍ୟ ନିଜ କଥା ରଖିବାକୁ ପରିବହନ କମିଶନର କହିଥିଲେ । ତାଙ୍କୁ ମିଳିଥିବା ସମ୍ମାନ କଥା ସେ କେବେ ବି ସ୍ୱପ୍ନରେ ବି ଭାବି ନ ଥିଲେ । ଏଥିପାଇଁ ସେ ପରିବହନ କମିଶନରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଅମିତାଭ ଠାକୁର ଉଭୟ ଧନଞ୍ଜୟ ଓ ରିଆଜଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ । ସେମାନଙ୍କ ଦୀର୍ଘବର୍ଷର ଉଲ୍ଲେଖନୀୟ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ । ରିଆଜଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ଉପହାର ଦେଇଥିଲେ ।