ଇନ୍ଦୋରରେ ସୁରଟ ନାଟକ, କଂଗ୍ରେସ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ । ନାମାଙ୍କନପତ୍ର ଫେରାଇଲେ, ବିଜେପିରେ ମିଶିଲେ

378

କନକ ବ୍ୟୁରୋ : ଗୋଟେ ପଟେ ପଡୁଛି ଭୋଟ । ଅନ୍ୟପଟେ ରାଜନୀତି ଗଳିରୁ ଏଭଳି ଖବର ଆସୁଛି ଯାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ରାଜନୀତିରେ ସବୁ କିଛି ସମ୍ଭବ ଓ କେତେବେଳେ କିଛି ବି ହୋଇପାରେ । ଠିକ ସେମିିତି କିଛି ଘଟଣା ଘଟିଛି ଗୁଜରାଟ ସୁରଟରେ । ଇନ୍ଦୋର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟକାନ୍ତି ବାମ ଶେଷ ମୁହୁର୍ତରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । କେବଳ ସେତିକି ନୁହେଁ ବିଜେପି ନେତା କୈଳାଶ ବିଜୟବର୍ଗୀଙ୍କ ସହ ଗାଡିରେ ବସି ବିଜେପି କାର୍ଯ୍ୟାଳୟରେ ପହଁଚିବା ସହ ଦଳରେ ସାମିଲ ହୋଇଛନ୍ତି । ମେ ୧୩ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ । କଂଗ୍ରେସ ଅକ୍ଷୟକାନ୍ତିଙ୍କୁ ବିଜେପିର ଶଙ୍କର ଲାଲୱାନୀଙ୍କ ବିିପକ୍ଷରେ ପ୍ରାର୍ଥୀ କରିଥିଲା । କିନ୍ତୁ ଶେଷ ସମୟରେ ଗୋଟି ଚାଳନା କରି ଅକ୍ଷୟକାନ୍ତିଙ୍କୁ ନିଜ ଶିବିରକୁ ଆଣି ସମସ୍ତଙ୍କୁ ଜଳକା କରିଛି ବିଜେପି । ସବୁଠୁ ବଡ କଥା ହେଉଛି ଏହି ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ୩ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସେପଟେ ଅକ୍ଷୟକାନ୍ତି କଂଗ୍ରେସ ଛାଡି ବିଜେପିରେ ମିଶିବା ପରେ ଏବେ ଇନ୍ଦୋର ଆସନରେ ବିଜେପି ପଲା ଭାରି ରହିଛି ।

ଇନ୍ଦୋର ୟୁଟର୍ଣ୍ଣର କିଛି ଦିନ ପୂର୍ବରୁ ସୁରଟରେ ରୋଚକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ବାନୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲା ଏକତରଫା ବିଜୟୀ ହୋଇଥିଲୋ ।କଂଗ୍ରେସ ପ୍ରାର୍ଥୀଙ୍କ ପ୍ର୍ରାର୍ଥୀପତ୍ର ନାକଚ, ସହ ଅନ୍ୟ ୮ଜଣ ପ୍ରାର୍ଥୀ ମଧ୍ୟ ଓହରିଥିଲେ । ଶେଷରେ ବିରଳ ଘଟଣା ଭାବେ ଭୋଟ ପଡିବା ପୂର୍ବରୁ ହିଁ ବିଜେପିର ମୁକେଶ ଦଲାଲ ସୁରଟ ଆସନକୁ କବଜା କରିଛନ୍ତି ।ଏହି ଘଟଣାକୁ ଫିକ୍ସି କହିଛି ଅଭିଯୋଗ ଆଣିଛି କଂଗ୍ରେସ ।

କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ଯେଉଁ ଟାର୍ଗେଟ ରଖିଛି ତାର ପ୍ରତିଫଳନ ଏହି ଦୁଇଟି ଘଟଣାରୁ ଅନୁମାନ କରାଯାଇପାେରେ । ତୃଣମୂଳରୁ ଜାତୀୟସ୍ତରରେ କଂଗ୍ରେସକୁ ଚେକ ଦେବାକୁ ବିଜେପିର ରଣନୀତିରେ ଆଗକୁ ଆଉ କି ନୂଆ ତଥା ରୋଚକ ଘଟଣା ଦେଖିବାକୁ ମିଳିବ ତାକୁ ଅପେକ୍ଷା ।