ଆହାର ଯୋଗାଉଛି ମହୁଲ ଫୁଲ: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ

162

କନକ ବ୍ୟୁରୋ: ମହୁଲ ବିକି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲାରେ କୋୟା, ଗାଦବା, ଦିଦାୟୀ ପରି ଭିନ୍ନ ଭିନ୍ନ ଜନଜାତୀର ଲୋକେ ବସବାସ କରନ୍ତି । ଅତି ସରଳ ଏମାନଙ୍କ ଜୀବନ ଧାରା । ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ଏହି ବନବାସୀ ମଣିଷ ମାନେ । ତେଣୁ ବର୍ଷ ତମାମ ଜଂଗଲ ଓ ପ୍ରାକୃତିକ ପରିବେଶରେ ମିଳୁଥିବା ସାମଗ୍ରୀ ଉପରେ ନିର୍ଭର ଏମାନଙ୍କ ଚାଲିଚଳନ । ଏଇ ଯେମିତି ଏବେ ମହୁଲ ଫୁଲର ପସରା ମେଲାଇଛି ପ୍ରକୃତୀ ରାଣୀ । ପୁରା ପରିବେଶ ଏବେ ମହୁଲ ଫୁଲରେ ମହକି ଉଠୁଛି । ଆଉ ଏବେ ସେଇ ମହୁଲ ଫୁଲକୁ ସଂଗ୍ରହ କରି ପେଟ ପୋଶୁଛନ୍ତି ମାଲକାନଗିରି ଜିଲ୍ଲାର ଅଧିବାସୀ ମାନେ । ବିଶେଷ କରି ପ୍ରତିଦିନ ସକାଳ ହେବା ମାତ୍ରେ ଜଂଗଲକୁ ଚାଲିଯାନ୍ତି ମହିଳା ମାନେ । ସଦର ବ୍ଲକ ଝରାପାଲି ଗାଁର ମହିଳା ଗୀତା ମାଡକାମୀ ପ୍ରତିଦିନ ସକାଳ ହେଉ ହେଉ ପାଖଆଖ ଜଂଗଲରୁ ପ୍ରତିଦିନ ପ୍ରାୟ ୨୦ କିଲୋ ମହୁଲ ସଂଗ୍ରହ କରନ୍ତି ।

ପ୍ରତି ଦିନ ମହୁଲ ସଂଗ୍ରହ କରିବା ପରେ ଏହାକୁ ଘରେ ଆଣି ସୁଖାନ୍ତି ମହିଳା ମାନେ । ସୁଖିଲା ମହୁଲକୁ ନିକଟସ୍ଥ ବଜାର ତଥା ଗାଁ ବ୍ୟବସାୟୀଙ୍କୁ ବିକ୍ରୀ କରନ୍ତି । ଓଡିଶାରେ ଟୋଲା ଦର ୨୦ ରୁ ୨୫ ଟଙ୍କା ପ୍ରତି କିଲୋ ବିକ୍ରୀ ହୋଉ ଥିବା ବେଳେ ଅଧିକାଂଶ ସଂଗ୍ରହକାରୀ ଅଦଳ ବଦଳ ପ୍ରଥା ମାଧ୍ୟମରେ ପନି ପରିବା ଠାରୁ ଆରମ୍ଭ କରି ବିଭିନ୍ନ ସୌଦାପତ୍ର ବଦଳାଇ ନିଅନ୍ତି । ଅନେକ ପରିବାର ଏହି ମହୁଲ ଦ୍ୱାରା ପାରମ୍ପରିକ ପଦ୍ଧତିରେ ମହୁଲି ମଦ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

ଓଡିଶାରେ ମଣ୍ଡି କିମ୍ବା ଉଚିତ ବଜାର ସୁବିଧା ନଥିବାରୁ ପଡୋଶୀ ଛତିଶଗଡ ଉପରେ ନିର୍ଭର କରନ୍ତି ଉଭୟ ସଂଗ୍ରହକାରୀ ଓ ବ୍ୟବସାୟୀ । ଓଡିଶା ତୁଳନାରେ ସୀମା ଆରପଟେ ଦର ଅଧିକ ଥିବାରୁ ଛତିଶଗଡ ଦୈନିକ ହାଟରେ ମହୁଲ ବିକ୍ରୀ କରନ୍ତି ଲୋକେ । ଛତିଶଗଡରେ ପଂଜିକୃତ ବ୍ୟବସାୟୀ ଉଭୟ ଟୋଲ ଓ ମହୁଲ ସହ ସମସ୍ତ ବନଜାତ ଦ୍ରବ୍ୟ କିଣି କୃଷି ମଣ୍ଡିରେ କେବଳ ୨ ପ୍ରତିଶତ ଟିକସ ଦେଇ ପୈଠ କରନ୍ତି । ତେବେ ଓଡିଶାରେ ମହୁଲକୁ ଅବକାରୀ ବିଭାଗ ନିୟନ୍ତ୍ରଣ କରୁଥିବାରୁ ବ୍ୟୟ ବହୁଳ ଲାଇସେନ୍ସ, ୨୮ ପ୍ରତିଶତ ଟିକସ ସହ ପରିବହନ ଲାଗି ପରମିଟ୍ ପରି ନାନା କଟକଣା ଯୋଗୁ ଚୋରାରେ ବିକ୍ରୀ ହେଉଛି ମହୁଲ ।