ଟାର୍ଗେଟ କଲା, ସମ୍ପର୍କ ବଢ଼ାଇଲା । ସୁଯୋଗ ଦେଖି, ଚୁନା ଲଗାଇଲା । ଠକଙ୍କ ଟାର୍ଗେଟରେ ବଡ଼ବଡିଆ!

145

କନକ ବ୍ୟୁରୋ: ନାଁ ରାଜେଶ ନାୟକ, ଘର ଭୁବନେଶ୍ୱର । ବିଭିନ୍ନ ଲୋକଙ୍କ ଠାରୁ ନିବେଶ ନାଁରେ ଟଙ୍କା ନେଇ ସେମାନଙ୍କୁ ଚୁନା ଲଗାଇବା ଭଳି ମାଳମାଳ ଅଭିଯୋଗ ରହିଛି ଏହି ବ୍ୟକ୍ତିଙ୍କ ନାଁରେ । କେତେବେଳେ ଟଙ୍କା ନିବେଶ କଲେ ଭଲ ରିଟର୍ଣ୍ଣ ଦେବାର ଲୋଭ ତ, ଆଉ କେତେବେଳେ ବିଜନେସରେ ପ୍ରଫିଟ ସେଆରିଂର ଲାଳସା ଦେଖାଉଥିଲା । ଆଉ ଟଙ୍କା ନେଲା ପରେ ଫେରେଇବାର ନା ଗନ୍ଧ ଧରୁନଥିଲା । କିଛି ଏଭଳି ଢଙ୍ଗରେ ଜଣେ ବ୍ୟକ୍ତି ଓ ଜଣେ ବିବାହିତ ମହିଳାଙ୍କ ଠାରୁ ପାଖାପାଖି କୋଟିଏ ଟଙ୍କା ନେଇଯିବା ପରେ ଆଉ ଧରାଛୁଆଁ ଦେଉନଥିଲା ଠକ ଜଣକ । ଲକ୍ଷ୍ମୀସାଗର ଥାନାରେ ଏନେଇ ଅଭିଯୋଗ ହେବା ପରେ ଠକ ରାଜେଶ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ୱରରେ ରହୁଥିବା ରଶ୍ମିରଞ୍ଜନଙ୍କ ଠାରୁ ଏହି ଠକ ପାଖାପାଖି ୮୦ ଲକ୍ଷ ଟଙ୍କା ହଡପ କରିଥିବା ବେଳେ, ଦେବଶ୍ରୀଙ୍କ ଠାରୁ ପର୍ଯ୍ୟାୟ କ୍ରମେ ପାଖାପାଖି ୩୩ ଲକ୍ଷ ଟଙ୍କା ଚଳୁ କରିଛି । ଜଣେ ବନ୍ଧୁଙ୍କ ମାଧ୍ୟମରେ ଦେବଶ୍ରୀ ଓ ରଶ୍ମିରଞ୍ଜନଙ୍କ ସହ ଅଭିଯୁକ୍ତ ରାଜେଶ ନାୟକର ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ସହ ବନ୍ଧୁତା ନିବିଡ କରିଥିଲା । ଆଉ ସୁଯୋଗ ଦେଖି ଉଭୟଙ୍କୁ ନିଜ ଫାଶରେ ପକାଇଥିଲା ।

  • ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲାଭ ମଧ୍ୟ ଉଭୟଙ୍କୁ ଦେଇଥିଲା
  • ଲାଭ ପାଇବା ପରେ ଅଧିକ ଟଙ୍କା ନିବେଶ କରିଥିଲେ ଦେବଶ୍ରୀ ଓ ରଶ୍ମୀରଞ୍ଜନ
  • ଅଧିକ ଟଙ୍କା ହାତେଇବା ପରେ ଆଉ ଧରାଛୁଆଁ ଦେଇନଥିଲା ରାଜେଶ
  • ବାରମ୍ବାର ଅନୁରୋଧ କରିବା ପରେ ବି ଟଙ୍କା ଫେରାଉନଥିଲା

କେବଳ ରଶ୍ମିରଞ୍ଜନ ଓ ଦେବଶ୍ରୀ ନୁହନ୍ତି, ବଡବଡିଆ ଓ ଧନୀ ଲୋକଙ୍କୁ କ୍ରମାଗତ ଟାର୍ଗେଟ କରିଆସୁଛନ୍ତି ବିଭିନ୍ନ ଠକ । ପାଖରେ ପୁଳାପୁଳା ଟଙ୍କା ଥିବା ଓ ନିବେଶ କରିବାକୁ ବାଟ ଖୋଜୁଥିବା ବ୍ୟକ୍ତିଙ୍କୁ ମୁଖ୍ୟତଃ ଟାର୍ଗେଟ କରୁଛନ୍ତି । ଆଉ ସେମାନଙ୍କ ଜାଲରେ ଅତି ଆରାମରେ ଫସିଯାଉଛନ୍ତି ଏଭଳି ଧନୀ ବ୍ୟକ୍ତି ।