ପିଲାକୁ ଫେରି ପାଇବା ପାଇଁ ବାପାଙ୍କ ଗୁହାରି। ହାତରେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା।

166

କନକ ବ୍ୟୁରୋ: ପୁଅକୁ ଝୁରି ହେଉଛନ୍ତି ସଞ୍ଜୀବ ପଣ୍ଡା । ସ୍ୱାମୀ ସ୍ତ୍ରୀଙ୍କର ନ୍ୟାୟିକ ଲଢେଇରେ ବଳି ପଡିଯାଇଛି ତାଙ୍କ କୁନି ପୁଅର ଶୈଶବ । କୋର୍ଟରେ କେସ ଚାଲିଛି, ପୁଅ ଏବେ ମା ପାଖରେ । ଗତ ଅଢେଇ ବର୍ଷ ହେଲାଣି ପୁଅକୁ ଦେଖିନାହାନ୍ତି ସଞ୍ଜୀବ । ପୁଅକୁ ଦେଖିବା ପାଇଁ ବାପା ବିଚଳିତ ହେଉଥିଲେ ବି ସେ ସୁଯୋଗରୁ ସେ ବଞ୍ଚିତ ହୋଇଛନ୍ତି । ସଞ୍ଜୀବଙ୍କ ଭଳି ରୋହନ ଅଗ୍ରୱାଲ ବି ସମାନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଦିନ ଥିଲା ବାପା କୋଳରେ ଖେଳି ଖେଳି ଥକିପଡୁଥିଲା ପୁଅ । ପୁଅକୁ କୋଳରେ ଆଉଜି ଶୁଆଇ ଦେଉଥିଲେ ବାପା । କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁଁ ବାପ ଓ ପୁଅଙ୍କ ମଝିରେ ଛିଡା ହୋଇଛି ଏକ ଲମ୍ବା ପାଚେରୀ ।

ନବ ଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଧାମୁର୍ତି । କିନ୍ତୁ ନ୍ୟାୟିକ ଲଢେଇରେ ସ୍ତ୍ରୀ ସହ ପୁଅ ଯାଇଛି ଯେ ଆଉ ଫେରିନାହିଁ । କାଳିଆ ଠାକୁର ତ ଫେରିଲେ, କିନ୍ତୁ ତାଙ୍କ ପୁଅ କେବେ ଫେରିବ, ଏହି ଆଶାରେ କାଳିଆଙ୍କ ପାଖକୁ ଯାଇ ଗୁହାରି କରିଛନ୍ତି କିଛି ବ୍ୟକ୍ତି । ହାତରେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ପିନ୍ଧିଥିବା ଟି-ସାର୍ଟରେ ଥିଲା ନିଜ ପିଲାଙ୍କ ଫଟୋ । ବାହୁଡାଯାତ୍ରାର ପୂର୍ବ ଦିନ ଏକ ପଦଯାତ୍ରା ‘ହୋପ୍ ୱାକ୍ ଫର ପୁରୀ’ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏମାନଙ୍କ କହିବା କଥା, ବିବାହ ପରେ ପୁରୁଷମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପତ୍ନୀ ସହ ଛାଡ଼ପତ୍ର ହେବା ପରେ ପିଲାଟି ବାପା ପାଖରେ ନରହି ମା’ ପାଖରେ ରହିଥାଏ । ଆଉ କେଇ ଦିନ ପରେ ପିଲାଟି ବାପାକୁ ଖୋଜିଥାଏ, ବାପାମାନେ ମଧ୍ୟ ପିଲାଙ୍କୁ ଖୋଜିଥାନ୍ତି । ଏପରି ସାମାଜିକ ସ୍ଥିତିର ସୁଧାର ପାଇଁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି ସେଭ୍ ଇଣ୍ଡିଆନ୍ ଫ୍ୟାମିଲି ଫାଉଣ୍ଡେସନ୍ ।

ପିଲାଟି ମାଆ କୋଳରେ ଯେମିତି ବଢ଼େ, ବାପାଙ୍କ ହାତ ଧରି ଠିକ ସେହିପରି ଆଗକୁ ବଢିବାକୁ ସାହାସ ପାଏ । ଆଉ ପିଲାକୁ ଦେଖି ନିଜର ସବୁ ଦୁଖକଷ୍ଟ ଭୁଲିଯାଏ ବାପା । କିନ୍ତୁ ବାପା-ପୁଅଙ୍କ ସଂପର୍କ ଭିତରେ ଏବେ ଛିଡା ହୋଇଥିବା ପାଚେରୀକୁ ଭାଙ୍ଗିବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ ।