ଦ୍ରୌପଦୀଙ୍କୁ ନେଇ ତେଜିଲା ରାଜନୀତି। ରାଷ୍ଟ୍ରପତି ନିର୍ବାଚନ ପରେ ଖେଳା ହବେ କହି ରାଜନୀତିରେ ଉଷ୍ମତା ଭରିଲେ ମୋହନ ମାଝୀ।

395

କନକ ବ୍ୟୁରୋ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁୁ ସ୍ୱାଗତ କରିବା ପାଇଁ ବେଶ ବଳ କଷିଥିଲେ ବିଜେଡି ଓ ବିଜେପି । ବିମାନ ବନ୍ଦରରୁ ଆରମ୍ଭ କରି ବିଧାନସଭା, ରାଜ୍ୟ ଅତିଥି ଭବନ ସବୁଠି ଦେଖିବା ପାଇଁ ମିଳିଥିଲା ଉଭୟ ଦଳର ଶକ୍ତି ପ୍ରଦର୍ଶନ । ଏନଡିଏରେ ନଥାଇ ବିଜେଡି ଯେପରି ସ୍ୱାଗତ କରିଥିଲା, ତାହା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଦ୍ରୌପଦୀ ପ୍ରାର୍ଥୀ ହେବା ପରଠାରୁ ରାଜ୍ୟ ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଛି । ଗୋଟିଏ ପଟେ ବିଜେଡି ଆଗକୁ ଆସି ଦ୍ରୌପଦୀଙ୍କୁ ସମର୍ଥନ ଦେବା ସହ ଅନ୍ୟ ଦଳକୁ ଭୋଟ ଅପିଲ କରି ପୁରା ମାଇଲେଜ ନେବା ପାଇଁ ଚାହୁଁଥିବା ବେଳେ ବିଜେପି କହିଛି ବିଜେଡି ଡ୍ରାମା କରୁଛି । ବିଜେପି ନେତା ମୋହନ ମାଝୀ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି, ରାଷ୍ଟପତି ନିର୍ବାଚନ ପରେ ଖେଲା ହୋବେ ।

୨୦୨୪ ନିର୍ବାଚନକୁ ପ୍ରାୟ ୨ ବର୍ଷ ରହିଥିବା ବେଳେ କିନ୍ତୁ ମାହୋଲ ଏବେଠାରୁ ଆରମ୍ଭ ହୋଇଗଲାଣି । ବିଜେପି ନେତା କହୁଛନ୍ତି ଦ୍ରୌପଦୀଙ୍କୁ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ପ୍ରାର୍ଥୀ କରି ୨୦୨୪ ଓଡିଶାକୁ ସ୍ୱତନ୍ତ୍ର ଫୋକସରେ ରଖିଛନ୍ତି । ତେଣୁ ଆଗକୁ ବିଜେପି ଆଭିମୁଖ୍ୟ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଦ୍ରୌପଦୀଙ୍କୁ ନେଇ ଦ୍ୱନ୍ଦରେ ଥିବା ରାଜ୍ୟ କଂଗ୍ରେସ, ରାଷ୍ଟ୍ରପତି ନିର୍ବାଚନରେ ପଛରେ ପଡିଯାଇଛି । ମାଟି ଅପେକ୍ଷା ପାର୍ଟିକୁ ଗୁରୁତ୍ୱ ଦେଉଛି ଦଳ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ତାଙ୍କ ଅନ୍ତର ମାଟି ପାଇଁ କହୁଛି, କିନ୍ତୁ ପାର୍ଟିର ପ୍ରାର୍ଥୀଙ୍କୁ ସେ ଭୋଟ ଦେବେ । ସେପଟେ ବିଜେଡି କହିଛି, ମାଟିର ଝିଅ ତେଣୁ ମାଟିର ଆହ୍ୱାନ ପ୍ରତ୍ୟେକ ଓଡିଶାବାସୀ ଦ୍ରୌପଦୀଙ୍କୁ ବିଜୟ କରିବାର ଆବଶ୍ୟକତା ରହିଛି । ତେଣୁ ଦୌପଦୀ ସମର୍ଥନ ମାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେଇସାରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ପରେ ଜଣାପଡିବ ରାଜ୍ୟ ରାଜନୀତିରେ ଦ୍ରୌପଦୀଙ୍କ ପ୍ରଭାବ କେତେ ପଡୁଛି । ବିଜେପି ଏଥିରୁ କେତେ ଫାଇଦା ପାଉଛି କିମ୍ବା ଦ୍ରୌପଦୀଙ୍କୁ ସମର୍ଥନ ଦେଇ ବିଜେପିର ଖେଳ ବଦଳାଇ ଦେବାରେ ସକ୍ଷମ ହେଉଛି ବିଜେଡି ।