କିଛିଦିନର ଆଶ୍ୱସ୍ତି ପରେ ଅସହ୍ୟ ହେଲା ତାତି । ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

128

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୨୯ ଟି ସହରର ତାପମାତ୍ରା ମଙ୍ଗଳବାର ଦିନ ୪୦ ଡିଗ୍ରୀ ପାର କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟା ପରେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଏହି କ୍ରମରେ ମଙ୍ଗଳବାର ଦିନ ବାରିପଦା ସବୁଠାରୁ ଉତପ୍ତ ସହର ଭାବେ ଚିହ୍ନଟ ହୋଇଛି । ମଙ୍ଗଳବାର ଦିନ ବାରିପଦାର ତାପମାତ୍ର ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ନୂଆପଡା ୪୨.୪, ପାରଳାଖେମୁଣ୍ଡି ୪୨.୪, ତାଳଚେର ୪୨,ବୌଦ୍ଧ ୪୨, ଭୁବନେଶ୍ୱରର ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି । ମାଲକାନାଗରି ୪୧.୯, ନୟାଗଡ ୪୧.୭, ଅନୁଗୁଳ ୪୧.୭, ଚାନ୍ଦବାଲି ୪୧.୬, ଖୋର୍ଦ୍ଧା ୪୧.୫, ଟିଟିଲାଗଡ ୪୧.୫, ଜଗତସିଂହପୁର ୪୧.୫, ଝାରସୁଗୁଡା ୪୧.୪, ବାଲେଶ୍ୱର ୪୧.୧, କେନ୍ଦ୍ରାପଡା ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଢେଙ୍କାନାଳ ୪୧, ଭଦ୍ରକ ୪୧, ବଲାଙ୍ଗୀର ୪୦.୮, କଟକ ୪୦.୮, ଭବାନୀପାଟଣା ୪୦.୮, ସମ୍ବଲପୁର ୪୦.୬, ହୀରାକୁଦ ୪୦.୬, ଛତ୍ରପୁର ୪୦.୪, ରାଉରକେଲା ୪୦.୩, କେନ୍ଦୁଝର ୪୦, ସୁନ୍ଦରଗଡ ୪୦, ସୋନପୁର ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଅସହ୍ୟ ଗରମକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ କିଛି ଗାଇଡ ଲାଇନ ଜାରି କରାଯାଇଛି । ଏହି ଗାଇଡ ଲାଇନ ମଧ୍ୟରେ ରହିଛି ଦିନ ୧୨ ରୁ ୩ଟା ପର୍ଯ୍ୟନ୍ତ କେହି ଶ୍ରମିମମାନଙ୍କୁ କାମରେ ଲଗାଇପାରିବେ ନାହିଁ । ସମସ୍ତ କାର୍ଯ୍ୟସ୍ଥଳୀରେ ପାନୀୟ ଜଳର ସୁବିଧା, ବିଶ୍ରାମ କକ୍ଷର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ । ଅଂଶୁଘାତକୁ ନଜରରେ ରଖି ସମସ୍ତ ସରକାରୀ ମେଡିକାଲରେ ବେଡ୍ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।