ଖରାଦିନ ଆରମ୍ଭରୁ ପାଣି ସମସ୍ୟା । ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ ।

98

କନକ ବ୍ୟୁରୋ: ଖରା ଦିନରୁ ପିଇବା ପାଣି ସମସ୍ୟା । ଖରା ବଢିଚାଲିଥିବା ବେଳେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁର ଲୋକ ମାନେ । ୫ ବର୍ଷ ହେଲା ଅଚଳ ପଡିଛି ପାନୀୟ ଜଳ ପ୍ରକଳ୍ପ । ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଜୟପାଟଣା ଭଇଁରିପାଲି ଗାଁରୁ ଆସିଛି ଅଭାବନୀୟ ଖବର ।

ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି । ୫୫ଲକ୍ଷ ଟଙ୍କାରେ ଏକ ଓଭର ହେଡ ଟ୍ୟାଙ୍କ ତିଆରି ପାଇଁ ଅର୍ଥ ବରାଦ ହୋଇ କାମ ଆରମ୍ଭ କରାଯାଇଥିଲା । ସବୁଆଡେ ପାଣି ପାଇପ୍ ବିଛା ଯାଇଥିଲା । ହେଲେ ପାଣି ପାଇଁ ଖୋଳାଯାଇଥିବା ବୋରୱେଲ ଧସିଯାଇ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଫଳରେ ଗାଁର ଲୋକେ ପଇବା ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ସମସ୍ୟାର କୌଣସି ସମାଧାନ ହୋଇପାରିନି ।

ଅଭିଯୋଗ ପରେ ଗାଁର ସରଦାପୁର ନିକଟରେ ଡିପ୍ ବୋରୱେଲ ଖୋଳାଯାଇଥିଲା । ସେଠାରେ ଜଳ ନିସ୍କାସନ ହୋଇନପାରିବାରୁ ପୁଣି ଥରେ ସ୍କୁଲ ପରିସରରେ ୪ ଟି ବୋରୱେଲ ଖୋଳାଯାଇଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବୋରୱେଲ ଖୋଳାଯାଇଥିବା ବେଳେ ପାଣି ମୁନ୍ଦାଏ ବି ମିଳିପାରିଲାନି । ଗାଁର ଲୋକେ ମାଇଲ ମାଇଲ ବାଟ ଅତିକ୍ରମ କରି କେନାଲରୁ ପାଣି ପାଇଁ ଯାଉଛନ୍ତି । କିଛି ଦିନ ପରେ କେନାଲରୁ ପାଣି ଶୁଖିଗଲେ ପାଣିର ଉକ୍ରଟ ସମସ୍ୟା ଦେଖାଯିବ । ଏନେଇ ଏବେଠାରୁ ପିଇବାପାଣି ପାଇଁ ସମସ୍ତ ସୁବିଧା କରାଯିବାକୁ ଲୋକେ ଦାବି କରିଛନ୍ତି । ସେପଟେ ସମସ୍ୟା ନେଇ ଚିରାଚରିତ ଢଙ୍ଗରେ ମିଳିଛି ପ୍ରତିଶ୍ରୁତି । ପାଣି ପାଇଁ ଦିନ ଦିନ ଧରି ଲୋକେ ସଂଘର୍ଷ କରିଚାଲିଛନ୍ତି । ଏବେଠାରୁ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ସମସ୍ତ ସୁବିଧା କରାଯିବାକୁ ଲୋକେ ଦାବି କରିଛନ୍ତି ।