ଆସିଲା ବିଜେପିର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା: ୩ଜଣଙ୍କୁ ରିପିଟ୍ କରିଛି ବିଜେପି, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ

212

କନକ ବ୍ୟୁରୋ: ପ୍ରାୟ ଦୁଇ ସପ୍ତାହ ହେଲା, ବିଜେପିର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକାକୁ ସମସ୍ତେ ଅପେକ୍ଷା କରିଥିଲେ । କାହାକୁ ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ ବହୁ ନେତା ଆଶା ଆଶଙ୍କାରେ ଥିଲେ? ଶେଷରେ ଆଜି ବିଜେପି ତାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିବା ପରେ ଚିତ୍ର ସ୍ପଷ୍ଟ ହୋଇଛି ।

ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିବାର ପ୍ରାୟ ଦୁଇ ସପ୍ତାହ ପରେ, ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏଥର ୧୯ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

ବିଜେପି ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ମଧ୍ୟରେ ୧୬ଜଣ ନୂଆ ଚେହେରା ରହିଛନ୍ତି । ସେମାନଙ୍କୁ ବିଜେପି ପ୍ରଥମ ଥର ପାଇଁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ତେବେ ୩ଜଣଙ୍କୁ ରିପିଟ୍ କରିଛି ଦଳ । ବଡ କଥା ହେଉଛି, ରାଉରକେଲା ବିଧାନସଭା ଆସନରୁ ହେଭିୱେଟ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦିଲ୍ଳୀପଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକମାନେ ରାଉରକେଲାରେ ଖୁସି ମନାଇଛନ୍ତି । ରାଉରକେଲାରେ ମନ୍ତ୍ରୀ ସାରଦା ନାୟକ ବିଜେଡିର ପ୍ରାର୍ଥୀ ହୋଇଥିବାରୁ, ଏଥର ବଡ ଲଢ଼େଇ ହୋଇପାରେ ବୋଲି କୁହାଯାଉଛି । ଏଥିସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କୈଳାସ କୁଲେସିକାଙ୍କ ସମେତ ୫ଜଣଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ବିଜେପି ପ୍ରଥମ ପର୍ଯ୍ୟାୟରେ ଦେଇଥିବା ୧୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଆସନରେ ପ୍ରାର୍ଥୀ ବଦଳାଇ ଦେଇଛି । କୋରାପୁଟ ପଟ୍ଟାଙ୍ଗି ଆସନରେ ଚୈତନ ହନ୍ତାଳକୁ ବଦଳାଇ ଚୈତନ୍ୟ ନାନ୍ଦବାଲି ଓ ନୟାଗଡ ରଣପୁର ଆସନରେ ତାପସ ମାର୍ଥାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ଦଳ ଟିକେଟ ଦେଇଛି ।

ବିଜେପି ଦୁଇଟି ପର୍ଯ୍ୟାୟରେ ମୋଟ ୧୩୧ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ଏବେ ବି ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିନି ଭାରତୀୟ ଜନତା ପାର୍ଟି । ଏହି ଆସନ ଭିତରୁ କେତୋଟି ଆସନରେ ବହୁ ହେଭିୱେଟ ଆଶାୟୀ ରହିଛନ୍ତି । ତେଣୁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସବୁ ଦିଗରୁ ଦଳ ଅଙ୍କ କଷୁଥିବା କୁହାଯାଉଛି ।