ତାତି ବଢୁଛି, ହେଲେ ଶୋଷ ମେଣ୍ଟୁନି । ଖରା ସହ ତାଳଦେଇ ବଢୁଛି ଜଳ କଷ୍ଟ । ଲୋକଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ

54

କନକ ବ୍ୟୁରୋ: ଖରାଦିନରେ ଉତ୍କଟ ଜଳ ସମସ୍ୟା । ଲୋକଙ୍କ ପାଇଁ ପାଣି ଯୋଗାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହୋଇଛି । ହେଲେ ନା ପ୍ରକଳ୍ପ କାମ ହୋଇପାରୁଛି ନା ଲୋକଙ୍କୁ ପିଇବାପାଣି ଯୋଗାଯାଉଛି । ପ୍ରତିଦିନ ଡହଡହ ଖରାରେ ମାଇଲ ମାଇଲ ବାଟ ପାଣି ଆଣିବାକୁ ଯାଉଛନ୍ତି ନିଆଳି ବଛସାଇଲୋ ଗ୍ରାମବାସୀ । ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଉଥିବା ବେଳେ ଟଙ୍କା ଗଲା କୁଆଡେ? ତାକୁ ନେଇ ଉଠିଛି ପ୍ରଶ୍ନ?

ଗୋଟିଏ ପଟେ ପିଇବା ପାଣି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ପ୍ରକଳ୍ପ ତ ଅନ୍ୟ ପଟେ ନଳକୂଅ ପାଖେ ବାଲିଟିଏ ପାଣି ପାଇଁ ଘଣ୍ଟା ଘଣ୍ଟାର ଅପେକ୍ଷା । କଟକ ଜିଲ୍ଲା ନିଆଳି ବଛସାଇଲୋ ଗାଁ ଦେବୀ ନଦୀ କୂଳରେ, ତଥାପି ଏଠି କିନ୍ତୁ ପାଣି ଯୋଗୁ ସମସ୍ୟା ବଢିଛି । ଏବେ ଦେବୀ ନଦୀ ରେ ପାଣି ଟୋପାଏ ନଥିବା ବେଳେ ଶୁଖିଲା ପଡିଛି । ଚୈତ୍ରମାସ ମୁଣ୍ଡଫଟା ଖରାରେ ସନ୍ତୁଳି ହେଉଛନ୍ତି ବଛସାଇଲୋ ଗାଁର ୪୦୦ରୁ ଅଧିକ ଲୋକ । ସବୁଠାରୁ ବଡ କଥା ଏହି ଗାଁକୁ ସରକାରଙ୍କ ବସୁଧା ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ଟାଙ୍କି ନିର୍ମାଣ କରାଯାଇଛି । ପ୍ରତିଘରକୁ ଷ୍ଟାଣ୍ଡପୋଷ୍ଟ ଲଗାଯାଇଥିବା ବେଳେ ପାଇପ୍ କାମ ବି ସରିଛି । ହେଲେ ବି କାର୍ଯ୍ୟକ୍ଷମ ହୋଇପାରିନି ପାନୀୟଜଳ ପ୍ରକଳ୍ପ । ଏଠାରେ ଟାଙ୍କି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ନେଇଥିବା ଗ୍ରାମବାସୀ ଆଣିଛନ୍ତି ଅଭିଯୋଗ ।

ସେପଟେ ପାଣି ନପାଇ ଗାଁ ଲୋକେ ଠିକାଦାର ଓ ସ୍ଥାନୀୟ ଜେଇଙ୍କ ଭିତରେ ମଧୁଚନ୍ଦ୍ରିକା ଥିବା କହିଛନ୍ତି ଗ୍ରାମବାସୀ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରକଳ୍ପ ତିଆରି ହୋଇଛି ହେଲେ ପାନୀୟଜଳ ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେବାର ଏକ ବର୍ଷ ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଁରେ ପହଁଚୁନି ପାଣି । ଗାଁରେ ଥିବା ନଳକୂପ ଅଚଳ ହୋଇପଡିଛି । ମାଇଲ ମାଇଲ ତତଲା ବାଲିରେ ପାଣି ପାଇଁ ଯାଉଛନ୍ତି ଲୋକେ । ଟୋପାଏ ପାଣି ପାଇଁ ଡହଳ ବିକଳ ହୋଇ ଅଭିୋଯାଗ ପରେ ଅଭିଯୋଗ ହେଉଛି । ହେଲେ ସମସ୍ୟା ଶୁଣିବାକୁ କେହି ନାହିଁ । ଲକ୍ଷ ଲକ୍ଷ ଟଙ୍କା ପ୍ରକଳ୍ପ କାହା ପାଇଁ ବୋଲି ଗାଁ ଲୋକ ପ୍ରଶ୍ନ ଉଠାଇଥିବା ବେଳେ ତୁରନ୍ତ ଗାଁକୁ ପାଣି ଯୋଗାଇ ଦେବାକୁ ସାଧାରଣ ଲୋକେ ଦାବି କରିଛନ୍ତି ।