ରାଜନୈତିକ ମାହୋଲ ସରଗରମ । ଚର୍ଚ୍ଚାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ନେତାଙ୍କ ଉଦ୍ୟମ 

134

କନକ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ସେହିଭଳି ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ପ୍ରଥମେ ୨୦୦୯ରେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରୀତିରଞ୍ଜନ ଘଡେଇ  । ଏହାପରେ ପରେ ୨୦୧୪ରୁ ସୁକିନ୍ଦା ଆସନରୁ ଲଢୁଛନ୍ତି  । ଖଣି ଖାଦାନ ଓ ପ୍ରାଚୁର୍ଯ୍ୟ ଭରା ସୁକିନ୍ଦାରେ ଦୀପତଳ ଅନ୍ଧାର ଭଳି କାଳିଆପାଣି ଖଣି ଅଞ୍ଚଳର କିଛି ଦୂରରେ ନଗଡାର ଚିତ୍ର । ନଗଡା ସହ ଅପହଞ୍ଚ ଇଲାକାରେ ରାସ୍ତାଘାଟରୁ ନେଇ ଅନେକ ସମସ୍ୟା ଦୂରେଇଛନ୍ତି ।  ବିଜେପି ମଧ୍ୟ ବିଭିନ୍ନ ମୁଦ୍ଦା ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ସେପଟେ କଂଗ୍ରେସ ଦଳ ପକ୍ଷରୁ ନିଜର ପାର୍ଥୀ ନାଁ ଘୋଷଣା ହେଇନଥିବା ବେଳେ କଂଗ୍ରେସ୍ ମଧ୍ୟ ଅନ୍ୟ ଦଳ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛି ।

ଦଳ ଦଳ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ ଭିନ୍ନ ଭିନ୍ନ ମୁଦ୍ଦା ନେଇ ରଣନୀତି ଆରମ୍ଭ ହୋଇଗଲାଣି । ସେପଟେ  ସାଧାରଣ ଭୋଟର ମଧ୍ୟ କିଛି କମରେ ନାହାନ୍ତି  । ଶିଳ୍ପର ସାମ୍ରାଜ୍ୟ କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଠିକାଦାରୀ ଅଦୌ ନାହିଁ ବୋଲି ଅଭିଯୋଗ କରିଛନ୍ତି ଭୋଟର୍  । ରାସ୍ତାଘାଟ ସ୍ୱାସ୍ଥ୍ୟ ଆଦି ବିପର୍ଯ୍ୟସ୍ତ ବୋଲି ଅନେକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଭୋଟର  । ନିର୍ବାଚନ ଆସିଲେ ମାଳ ମାଳ ପ୍ରତିଶ୍ରୁତି ମିଳୁଛି । ହେଲେ ଏବେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିଛି । ସୁକିନ୍ଦା ଆସନରେ ସବୁବେଳେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ଚଳିତ ନିର୍ବାଚନରେ କଣ ସ୍ଥିତି ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।