ଆଜି ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ । ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟକିରଣ । ସାରା ଦେଶ ଦେଖିବ ବିରଳ ଦୃଶ୍ୟ ।

526

କନକ ବ୍ୟୁରୋ: ଆଜି ପବିତ୍ର ରାମନବମୀ । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ଏହି ରାମନବମୀ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ । ବୈଜ୍ଞାନିକ ଏ ନେଇ ଗବେଷଣା କରିଛନ୍ତି ଓ ବିଗତ ଦିନରେ ଏହାର ଟ୍ରାଏଲ ବି କରାଯାଇଛି । ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା ।

ଶ୍ରୀରାମ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହେବାକୁ ଯାଉଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ହେବ ଓ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯିବ । ଆଉ ଏହାର ସାକ୍ଷୀ ହେବେ ବିଶ୍ୱର କୋଟି କୋଟି ରାମ ଭକ୍ତ । ବୈଜ୍ଞାନିକ ଉପାୟରେ ହେବ ସୂର୍ଯ୍ୟତିଳକ । ଜାନୁଆରୀରେ ରାମମନ୍ଦିର ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା ।

ଏବେ ଆସନ୍ତୁ ଜାଣିବା ଆଜି ରାମନବମୀରେ କେମିତି ହେବ ବୈଜ୍ଞାନିକ ଉପାୟରେ ଶ୍ରୀରାମଙ୍କ ସୂର୍ଯ୍ୟତିଳକ:
-ରାମନବମୀରେ ସୂର୍ଯ୍ୟକିରଣ ମନ୍ଦିରର ତୃତୀୟ ମହଲାରେ ଲାଗିଥିବା ପ୍ରଥମ ଦର୍ପଣରେ ପଡିବ
-ଏହି ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପିତ୍ତଳର ପାଇପରେ ପ୍ରବେଶ କରିବ
-ପିତ୍ତଳ ପାଇପରେ ଲାଗିଥିବା ଦ୍ୱିତୀୟ ଦର୍ପଣରେ ପଡି ୯୦ ଡିଗ୍ରୀରେ ପୁଣି ପ୍ରତିଫଳିତ ହୋଇଯିବ
-ପୁଣି ପିତ୍ତଳ ପାଇପରେ ଯାଇ ଏହି କିରଣ ୩ଟି ଅଲଗା ଅଲଗା ଲେନ୍ସରେ ଯିବ
-ଏହା ପରେ ଲମ୍ବା ପାଇପରେ ଗର୍ଭଗୃହର ଲାଗିଥିବା ଦର୍ପଣରେ ପଡିବ
-ଗର୍ଭଗୃହ ଦର୍ପଣରେ ପଡିବା ପରେ ଏହି କିରଣ ରାମଲାଲାଙ୍କ ମସ୍ତକରେ ୭୫ ମିଲିମିଟରର ଗୋଲାକାର ତିଳକ ଲଗାଇବ
-ପ୍ରାୟ ୪ ମିନିଟ ଯାଏଁ ଏହି ପ୍ରକ୍ରିୟା ଚାଲିବ ।