ଖରାରେ ସିଝୁଛି ଓଡିଶା । ଏପ୍ରିଲ ୨୦ ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର । ପାରା ଛୁଇଁପାରେ ୪୫ ଡିଗ୍ରୀ ।

96

କନକ ବ୍ୟୁରୋ: ଏପ୍ରିଲ ତୃତୀୟ ସପ୍ତାହରେ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ । କିନ୍ତୁ ମଙ୍ଗଳବାର ସୁଦ୍ଧା ୩ ଦିନ ଗ୍ରୀଷ୍ମପ୍ରବାହ ହୋଇସାରିଛି । ଆହୁରି ୫ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ତେଣୁ ୭ରୁ ୮ ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ କହିଛିି ।

ଆକଳନ ଅନୁସାରେ , ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବନି । ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ । ୧୮, ୧୯ ତାରିଖରେ ଅଧିକ ଗ୍ରୀଷ୍ମପ୍ରବାହ ପାଇଁ ଚେତାବନୀ ଦିଆଯାଇଛି । ଭବାନୀପାଟଣା, ବଲାଙ୍ଗିର , ଟିଟଲାଗଡ, ନୟାଗଡ, ଝାରୁସୁଗୁଡା. ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ଏଥିପାଇଁ ଗ୍ରୀଷ୍ମପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ଚେତାବନୀ ଅନୁସାରେ, ଏଥର ଏପ୍ରିଲ ମାସରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ ହେବ । ତେବେ ୨୧, ୨୨ ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି ।