ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ଼ ବୟାନ । କହିଲେ ୧୫୦ ଆସନରେ ସୀମିତ ରହିବ ବିଜେପି

98

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୧୫୦ ଆସନରେ ସୀମିତ ରହିଯିବ, ସବୁ ରାଜ୍ୟରୁ ଆସୁଥିବା ରିପୋର୍ଟ ଅନୁଯାୟୀ ବିରୋଧୀ ଇଣ୍ଡିଆ ମେଣ୍ଟ ଅବିଶ୍ୱନୀୟ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଉତ୍ତରପ୍ରଦେଶରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢୋକ୍ତି ଦେଖାଇବା ସହ ନିର୍ବାଚନୀ ବଣ୍ଡ, ନୋଟବନ୍ଦୀ ପ୍ରସଙ୍ଗ ଉଠାଇ ରାହୁଲ କେନ୍ଦ୍ର ସରକାର ସରକାରଙ୍କୁ ଘେରିଛନ୍ତି ।

  • ‘୪୦୦ ପାର ନୁହେଁ ଦେଢ ଶହରେ ସୀମିତ ରହିବ ବିଜେପି’
  • ଉଭୟ ରାହୁଲ ଓ ଅଖିଳେଶଙ୍କ ବଡ଼ ଦାବି

ନିର୍ବାଚନୀ ବଣ୍ଡ ମାମଲା ବିଶ୍ୱର ସବୁଠୁ ବଡ଼ ଚୋରି ଯୋଜନା, ଏହା କେବଳ ଧନୀକ ଓ ଶିଳ୍ପପତି ମାନେ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ଏନେଇ ଯେତେ ସ୍ପଷ୍ଟୀକରଣ ଦେଲେ ଦେଶବାସୀ ସତ କଥା ଜାଣିଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ଆରଏସଏସ, ବିଜେପିର ଗଣତନ୍ତ୍ର ଲୋକତନ୍ତ୍ର ବିରୋଧୀ ବିଚାରଧାରା ସହ ଇଣ୍ଡିଆ ମେଣ୍ଟର ସିଧାସଳଖ ଲଢେଇ ହେବ ବୋଲି ରାହୁଲ କହିଛନ୍ତି ।

  • ମୋଦିଙ୍କୁ ‘ଦୁର୍ନୀତିର ଚମ୍ପିୟାନ’ କହିଲେ ରାହୁଲ, ଅଖିଳେଶ
  • ଆଇସିୟୁରେ ପଡିଥିବା ଦଳକୁ ଅମ୍ଲଜାନ ମିଳିବନି କହିଲା ବିଜେପି

ଦେଶର କୃଷକ ଏବଂ ଯୁବପୀଢିମାନଙ୍କୁ ମୋଦି ସରକାର ପ୍ରତାରିତ କରିଛନ୍ତି, କୃଷକଙ୍କ ଆୟ ଦ୍ୱିଗୁଣିତ, ଯୁବକଙ୍କୁ ରୋଜଗାର ପ୍ରତିଶ୍ରୁତି ମିଥ୍ୟା ପାଲଟିଛି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଗାଜିଆବାଦରୁ ଗାଜିପୁର ଯାଏଁ ବିଜେପିର ମୂଳପୋଛ ହେବ ବୋଲି କହିଛନ୍ତି ଅଖିଳେଶ । ସେପଟେ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଆଇସିୟୁରେ ପଡିଥିବା ଦଳ, ଏମାନଙ୍କୁ ଭୋଟ ତ ଦୂରର କଥା ଲୋକ ଅମ୍ଳଜାନ ଦେବେ ନାହିଁ ବୋଲି କହିଛି ବିଜେପି ।

ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ୪୦୦ ପାର୍ ର ନାରା ଦେଉଥିବା ବେଳେ ରାହୁଲଙ୍କ ଦୃଢୋକ୍ତି ଇଣ୍ଡିଆ ମେଣ୍ଟକୁ ବଳ ଦେଉଛି କି ନାହିଁ ଦେଖିବାକୁ ବାକି ।