ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଗଲା ପୁଅ । ନିଖୋଜ ପୁଅର ଫଟୋ ଦେଖାଇ ନୟାଗଡ଼ରୁ ରାଜଧାନୀ ଯାଏଁ ଖୋଜି ବୁଲୁଛନ୍ତି ବାପା-ମା’

169

କନକ ବ୍ୟୁରୋ: ପୁଅର ଫଟୋ ଧରି ଭୁବନେଶ୍ୱର ରାସ୍ତାରେ ପୁଅକୁ ଖୋଜି ବୁଲୁଛନ୍ତି ବାପା-ମା । ଗୋଟିଏ ଗଳିରୁ ଆଉ ଗୋଟିଏ ଗଳି ଘୁରିବୁଲୁଛନ୍ତି । କେତେବେଳେ ପୋଲିସ ଥାନା ତ, ପୁଣି କେତେବେଳେ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଖୋଜୁଛନ୍ତି ପୁଅକୁ । ହେଲେ ମିଳୁ ନାହିଁ ପୁଅର ଠିକଣା । ପୁଅକୁ ଖୋଜି ଖୋଜି ଥକି ପଡିଲେ କିଛି୍ ସମୟ ପାଇଁ ଗଛ ତଳେ ଆଶ୍ରୟ ନେଉଛନ୍ତି ପୁଅର ମା ।

ନୟାଗଡରେ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ପୁଅକୁ ଗାଳି କରିଥିଲେ ବାପା । ଆଉ ଏହାର ୩ ଦିନ ପରେ ଘର ଛାଡି ପଳାଇଲା ପୁଅ ସିଲୁ ନାହାକ । ନୟାଗଡରୁ ଭୁବନେଶ୍ୱର ଆସିଥିବା ଖବର ମିଳିବା ପରେ ଭୁବନେଶ୍ୱରର ଗଳି କନ୍ଦିରେ ଖୋଜୁଛନ୍ତି ପୁଅକୁ ।

ସ୍କୁଲ ଯାଉଛି କହି ଘରୁ ବାହାରିଥିଲା ସିଲୁ । କିଛି ସମୟରେ ଚାଲିଆସିବ ବୋଲି ମା’କୁ କହିଥିଲା । କିନ୍ତୁ ସେଦିନରୁ ଆଉ ଘରକୁ ଫେରିନାହିଁ ସିଲୁ । ଏନେଇ ନୟାଗଡ ଥାନା ଓ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ବାପା । କିନ୍ତୁ ଏବେବି ମିଳିନାହିଁ ପୁଅର ସନ୍ଧାନ । ପୋଲିସ ସହଯୋଗ କଲେ ପୁଅ ମିଳିଯିବ ବୋଲି ଆଶା ରଖିଛନ୍ତି ବାପା-ମା । ତଥାପି ପୁଅକୁ ଖୋଜିବା ପାଇଁ ରାତି ଦିନ ଏକ କରିଦେଲେଣି । ଘରକୁ ଫେରିଆସ ବୋଲି ଆକୁଳ ନିବେଦନ କରିଛନ୍ତି ବାପା ମା ।