ରାଜନୀତିରେ ନୂଆ ଇତିହାସ ଲେଖିଲା ତୁଳଙ୍ଗ ପଞ୍ଚାୟତ । ଭାଙ୍ଗିଲା କଂଗ୍ରେସର ୨୫ ବର୍ଷର ଦୁର୍ଗ । ପ୍ରଥମ କରି ପଞ୍ଚାୟତରେ ନିବାର୍ଚନ ଜିତିଲେ ବିଜେଡି ସମର୍ଥିତ ପ୍ରାର୍ଥୀ ।

198

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତ ଗତ ୨୫ ବର୍ଷ ହେଲା କଂଗ୍ରେସ କବଜାରେ ରହିଥିଲା । ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୈତୃକ ଗାଁରେ କଂଗ୍ରେସର କେବଳ ଭୋଟ୍ ନଥିଲା ବରଂ ଏଠି ପାରମ୍ପରିକ ଭାବେ ବିଶ୍ୱାଳ ବଂଶର ସମର୍ଥକମାନେ ନିର୍ବାଚନ ଜିତିଆସୁଥିଲେ । କିନ୍ତୁ ୨୦୨୨ର ତ୍ରିସ୍ତରୀୟ ନିର୍ବାଚନ କେବଳ ଇତିହାସକୁ ବଦଳାଇ ନାହିଁ ବରଂ ଲେଖିଛି ନୂଆ ଇତିହାସ । ଏଥର ପ୍ରଥମ କରି ବିଜେଡି ସମର୍ଥିତ ପ୍ରାର୍ଥୀ ନିବେଦିତା ମଲ୍ଲିକ ସରପଞ୍ଚ ଭାବେ ନିର୍ବାଚନ ଜିତି ତୁଳଙ୍ଗ ପଞ୍ଚାୟତକୁ କବଜା କରିଛନ୍ତି । ତେବେ ତାଙ୍କ ଶ୍ୱଶୁର କୃଷ୍ଣ ମଲ୍ଲିକ ଗତ ୩ ଦଶନ୍ଧି ଧରି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଅଛନ୍ତି । ଏଥର ମଧ୍ୟ ତାଙ୍କର ସଫଳ ଗୋଟି ଚାଳନା କାରଣରୁ ବୋହୂ ନିବେଦିତା ମାତ୍ର ୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ମା ଶାରଳାଙ୍କର ଆଶୀର୍ବାଦ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତୁଳଙ୍ଗବାସୀଙ୍କର ଭଲପାଇବା କାରଣରୁ ଆଜି ଏ ସଫଳତା ମିଳିଥିବା ନିବେଦିତା କହିଛନ୍ତି । ତେବେ ଗତ ଅଢେଇ ଦଶନ୍ଧି ଧରି କଂଗ୍ରେସ ଯେଉଁ ଅଞ୍ଚଳକୁ ନିଜ ଦୁର୍ଗରେ ପରିଣତ କରିଥିଲା ଆଜି ନିବେଦିତା ସେ ଦୁର୍ଗକୁ ଧ୍ୱଂସ କରିବା ସହ ବିଶ୍ୱାଳ ବଂଶର ଦବଦବାକୁ ମାଟିରେ ମିଶାଇଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଲୋକଙ୍କ ସାଙ୍ଗରେ ରହିଲେ ହିଁ ଭୋଟରଙ୍କର ଆସ୍ଥା ଓ ବିଶ୍ୱାସକୁ ଜିତାଯାଇପାରେ । ଭୁବନେଶ୍ୱରରେ ରହି କେବଳ ନିର୍ବାଚନ ଆସିଲେ ନିଜର ହକ୍ ଜାହିର କରିବାକୁ ଗାଁକୁ ଆସୁଥିବା ନେତାଙ୍କୁ ଏହା ଏକ ବଡ଼ ଶିକ୍ଷା ବୋଲି ବୁଦ୍ଧିଜୀବୀ କହିଛନ୍ତି । ତେବେ ଆଗକୁ କେବଳ ତୁଳଙ୍ଗରେ ବିକାଶ ହିଁ ବିକାଶ ହେବ ବୋଲି ନିବେଦିତା କହିବା ସହ କୃଷ୍ଣ ମଧ୍ୟ ସର୍ବାଙ୍ଗ ବିକଶିତ ତୁଳଙ୍ଗର ସ୍ୱପ୍ନକୁ ସାକାର କରାଯିବ ବୋଲି କହିଛନ୍ତି ।