ରେକର୍ଡ ଭାଙ୍ଗିଲା ତାତି । ବାରିପଦାରେ ସର୍ବକାଳିନ ରେକର୍ଡ, ୪୬ଡିଗ୍ରୀ ଟପିଲା ତାପମାତ୍ରା । ୪୫ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର । ହିଟ୍ କରିଡରକୁ ନେଇ ଚର୍ଚ୍ଚା

164

କନକ ବ୍ୟୁରୋ: ଆକାଶରୁ ଅଗ୍ନି ବର୍ଷା । ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬. ୪ଡିଗ୍ରୀ ରେକର୍ଡ କରାଯାଇଛି । ଏହା ବାରିପଦାର ସର୍ବକାଳୀନ ରେକର୍ଡ । ଏହାପୂର୍ବରୁ ଏପ୍ରିଲ ୨୧, ୨୦୧୦ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬. ୧ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ଆଜି ୪୫. ୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହାକି ଏପ୍ରିଲ ମାସରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ । ଆଜି ୨୯ ସହରରେ ତାପମାତ୍ରା ୪୨ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି ।

ଏ ହେଉଛି ଗତ ଏକ ସପ୍ତାହରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଉଣା ଅଧିକେ ଏହି ସ୍ଥାନଗୁଡିକ ଗତ କିଛି ଦିନ ହେଲା ରାଜ୍ୟର ହିଟ କରିଡର ପାଲଟିଛି । ତାପମାତ୍ରା ସ୍ୱାଭାବିକଠାରୁ କେଉଁଠାରେ ୭ ଡିଗ୍ରୀ ତ କେଉଁଠାରେ ୫ ଡିଗ୍ରୀରୁ ଅଧିକ ରହୁଛି । ଆଉ ଦୁଇ ସପ୍ତାହ ହେଲା ଏହି ଅସ୍ୱାଭାବିକ ତାପମାତ୍ରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଗତ ଏକ ସପ୍ତାହର ତାପମାତ୍ରାକୁ ଦେଖିଲେ ଭୁବନେଶ୍ୱର, ବାରିପଦା, ଅନୁଗୁଳ, ତାଳଚେର, ଝାରୁସୁଗୁଡା ପାଲିଟିଛି ହିଟ୍ କରିଡର । ବିଶେଷକରି ଏହି ସ୍ଥାନଗୁଡିକରେ ତାପମାତ୍ରା ୪୨ରୁ ୪୫ ଡିଗ୍ରୀ ମଧ୍ୟରେ ରହୁଛି , ଯାହା ସ୍ୱାଭାବିକଠାରୁ ଢେର ଅଧିକ ।

ହିଟ୍ କରିଡରରେ ତାପମାତ୍ରା ବଢିବା ପଛରେ ସ୍ଥାନୀୟ କାରଣ ରହିଥିବା କୁହାଯାଉଛି । ଦିନେ ଟିଟଲାଗଡର ତାପମାତ୍ରା ସମସ୍ତଙ୍କୁ ଡରାଉଥିଲା । ଆଉ ଏହାକୁ ତତଲାଗଡ କୁହାଯାଉଥିଲା । କିନ୍ତୁ ହିଟ୍ କରିଡର ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସାଧାରଣତଃ ଏପ୍ରିଲ ମାସରେ ଏତେ ଦିନ ଗ୍ରୀଷ୍ମପ୍ରବାହ ହେବା କଥା ନୁହେଁ । କିନ୍ତୁ ଚଳିତମାସରେ ଏତେଦିନ ଗ୍ରୀଷପ୍ରବାହ ପାଣିପାଗ ବିଜ୍ଞାନୀଙ୍କୁ ବି ଚିନ୍ତାରେ ପକାଇଛି ।

ଗ୍ରୀଷ୍ମପ୍ରବାହ ବୃଦ୍ଧିର କାରଣ

  • ପଶ୍ଚିମା ଝଡ଼ ସଂଖ୍ୟା କିମ୍ବା ଏହା ପ୍ରଭାବରେ ବର୍ଷା କମ ହେଲେ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଉପୁଜିଥାଏ
  • ପଶ୍ଚିମାଝଡ ସାମାନ୍ୟ ଉଚ୍ଚ ଅକ୍ଷାଂଶରେ ଗତି କଲେ ଦୀର୍ଘଦିନ ଧରି ବର୍ଷା ହୁଏନାହିଁ
  • ବର୍ଷାର ଅନୁପସ୍ଥିତି ତାପମାତ୍ରା ବୃଦ୍ଧିକୁ ବଢାଇଥାଏ
  • ପଶ୍ଚିମାଝଡ଼ ଦୁର୍ବଳ ହେଲେ ଶୁଷ୍କ ବାୟୁର ପ୍ରବାହ ଶକ୍ତିଶାଳୀ ହୋଇଥାଏ
  • ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ସହ ଶୁଷ୍କ ଭାରୀବାୟୁ ନିମ୍ନମୁଖୀ ହେଲେ ତାପମାତ୍ରା ବଢିଥାଏ
  • ଏହି ପ୍ରକ୍ରିୟା ଲମ୍ବା ଅବଧିର ରହିଲେ ଗ୍ରୀଷ୍ମପ୍ରବାହ ଅସ୍ୱାଭାବିକ ହୋଇଥାଏ

ତେବେ ଭୁବନେଶ୍ୱରରେ ତାପମାତ୍ରା ବଢିବାର କାରଣ ବ୍ୟାପକ ସହରୀକରଣ, କଂକ୍ରିଟ ଜଙ୍ଗଲ, ବୃକ୍ଷ ନଷ୍ଟ ଓ ଜଳାଶୟର ଅଭାବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ସହ ରେଡ ଆଲର୍ଟର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୫ ତାରିଖରୁ କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ । ଏହାପରେ ପୁଣି ତାତି ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।