ଦେହ ଅସୁସ୍ଥ ଥିଲା, ହାତରେ ସାଲାଇନ୍ ପାଇପ୍ ଲାଗିଥିଲା… ତଥାପି ଲୋକଙ୍କ କଥା ରଖି ପହଞ୍ଚିଲେ ଶ୍ରମମନ୍ତ୍ରୀ । ସାଧୁବାଦ ଜଣାଇଲେ ସମସ୍ତେ…

871

କନକ ବ୍ୟୁରୋ: ମୁଣ୍ଡରେ ପଗଡି, ବେକରେ ଫୁଲମାଳ । ଗ୍ରାମାଞ୍ଚଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରୁଛନ୍ତି ଶ୍ରମମନ୍ତ୍ରୀ । ଆଉ ବୀର ସହିଦଙ୍କ ଘୋଡାର ବେକରେ ବି ଫୁଲମାଳ ପିନ୍ଧାଇ ଦେଉଛନ୍ତି । ଦୂରରୁ ସାଧାରଣ ଭାବେ ଏସବୁ ତ ଦେଖାଯାଉଛି । ହେଲେ ଟିକେ ଭଲରେ ଦେଖିଲେ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ କିଛି ଭାବିବାକୁ ବାଧ୍ୟ କରିବ । ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏଭଳି ବଡପଣ, ଲୋକଙ୍କ ପ୍ରତି ଭଲପାଇବା, ମାଟିପ୍ରତି ପ୍ରେମକୁ ବୁଝିସାରିବା ପରେ ତାଙ୍କୁ ସାଲ୍ୟୁଟ୍ ମାରିବାକୁ ଆପଣ ବାଧ୍ୟହେବେ । ତାଙ୍କୁ ବାଃ ବାଃ ନକହି ଆପଣ ରହିପାରିବେନି ।

ଦେହ ଅସୁସ୍ଥ ଥିଲା । ୩ରୁ ୪ ଦିନ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ବି ଦେଇଥିଲେ ହେଲେ ନିଜ ଅସୁସ୍ଥତା ଭିତରେ ଲୋକସେବା ଓ ଲୋକପ୍ରେମରେ ବିଶ୍ୱାସ କରୁଥିବା ମନ୍ତ୍ରୀ ନିଜର ପରିସ୍ଥିତିକୁ ବେଖାତିର କରି ଉନ୍ମୋଚନସ୍ଥଳକୁ ଆସିଥିଲେ । ହାତରେ ସାଲାଇନର ପାଇପ୍ ଲାଗିଥିଲା, ଏହା ପ୍ରମାଣିତ କରୁଥିଲା ମନ୍ତ୍ରୀ ଅସୁସ୍ଥ ଅଛନ୍ତି ଆଉ ତାଙ୍କର ସାଲାଇନ ଚାଲୁଛି । ତଥାପି ଲୋକଙ୍କ କଥାକୁ କାଟି ନପାରି ଜଣେ ବୀରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ହାଜର ହୋଇଥିଲେ ସୁଶାନ୍ତ ସିଂ ।

ଭଟଲି ବ୍ଲକ ଖର୍ସଲ ଗାଁରେ ଗଣ୍ଡ ସମାଜ ପକ୍ଷରୁ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ଯେଉଁଥିରେ ଅନେକ ଅତିଥି ଓ ଗ୍ରାମବାସୀ ଯୋଗଦେଇଥିବା ବେଳେ ମନ୍ତ୍ରୀ ଶାରୀରିକ ଭାବେ ଅସୁସ୍ଥ ଥାଇ ବି ସାମିଲ ହୋଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମନ୍ତ୍ରୀଙ୍କ ଏମିତି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ତେବେ ଖାଲି ଏବେ ନୁହେଁ । ପୂର୍ବରୁ ମଧ୍ୟ ନିଜ ବଡପଣ ଦେଖାଇଛନ୍ତି ମନ୍ତ୍ରୀ । ଓଡିଶା ଯେତେବେଳେ କରୋନା ମୁକାବିଲା କରୁଥିଲା । ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଲଢେଇ କରୁଥିଲା ସେତେବେଳେ ସାମ୍ନାକୁ ଆସିଥିଲା ସୁଶାନ୍ତ ସିଂଙ୍କ ଦରଦୀ ହୃଦୟର ଦୃଶ୍ୟ । ଯାହା ସମସ୍ତଙ୍କ ମନକୁ ଜିଣିନେଇଥିଲା । ଡ୍ରାଇଭର ନଥିବାରୁ ଓଡିଶାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଆମ୍ବୁଲାନ୍ସ ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେଇଥିଲେ । ଆଉ ସେତେବେଳେ ମନ୍ତ୍ରୀଙ୍କ ଏହି କାମକୁ ସମସ୍ତେ ସାଧୁବାଦ ଜଣାଇଥିଲେ । ଏବେ ନିଜେ ଅସୁସ୍ଥ ଥାଇ ସାମୁହିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ।