ପ୍ରଭାତୀଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । ବିଜେପିକୁ ଢଳୁଛନ୍ତି କି ସମୀର ଦାସ? 

326

କନକ ବ୍ୟୁରୋ: ସମୀର ଦାସଙ୍କ ଟିକେଟ କଟିବା ପରେ ରୋଚକ ସ୍ଥିତିରେ ନିମାପଡା ରାଜନୀତି  । ସମୀରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବିଜେପି ଆଡକୁ ଢଳୁଥିବା ନେଇ ଇଙ୍ଗିତ ଦେଇଛନ୍ତି, ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା  । ତେବେ ସମୀରଙ୍କ ଦଳବଦଳ ନିମାପଡାର ସମୀକରଣ ବଦଳାଇବ କି ?

  • ବିଜେପିକୁ ଢଳୁଛନ୍ତି ସମୀର ଦାସ !
  • ପ୍ରଭାତୀଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା

ସମୀର ରଞ୍ଜନ ଦାସଙ୍କ ଟିକେଟ କଟିବା ପରେ ଘନ ଘନ ସମାବେଶ ଓ କର୍ମୀ ସମ୍ମିଳନୀ କରି ବିଜୁ ଜନତା ଦଳ ଉପରେ ଚାପ ପ୍ରୟୋଗ କରିବାର ପ୍ରୟାସ ଜାରି ରଖିଛନ୍ତି  । ଏହାରି ଭିତରେ ସେ ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପି ନିମାପଡା ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବୟାନ  । ଗତ ଦୁଇଟି ନିର୍ବାଚନରେ ତାଙ୍କ ପ୍ରତିଦ୍ୱ୍ନ୍ଦୀ ଥିବା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତି ପରିଡା ସମୀରଙ୍କୁ ସମର୍ଥନ କରି ତାଙ୍କର ଦୃଢ ସଂଗଠନ ଥିବାର ସ୍ୱୀକାର କରିଛନ୍ତି  । ଆଉ ଏହି ସମୀରଙ୍କ ଦୃଢ ସଂଗଠନର ସାହାଯ୍ୟ ନେବାକୁ ପ୍ରଭାତୀ ଇଙ୍ଗିତ କରିଛନ୍ତି  ।

  • ନିମାପଡାର ସମୀକରଣ ବଦଳାଇବେ ସମୀର !
  • ପାଖ ଜିଲ୍ଲାରେ ପ୍ରଭାବ ପକାଇବ କି ସମୀରଙ୍କ ଦଳବଦଳ ?

କେବଳ ନିମାପଡା ଭିତରେ ସମୀରଙ୍କ ସଂଗଠନ ସୀମିତ ନୁହେଁ  । ପୁରୀ, ପିପିଲି, କାକଟପୁର ବିଧାନସଭା କ୍ଷେତ୍ରରେ ମଧ୍ୟ ସମୀରଙ୍କ ସମର୍ଥକ ରହିଛନ୍ତିି  । ଅନ୍ୟପଟେ ନିମାପଡା ବିଧାନସଭା ନିର୍ବଚନ ମଣ୍ଡଳୀ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଯାଉଥିବାରୁ ସେଠାରେ ମଧ୍ୟ ସମୀର ଦାସ ସମୀକରଣ ବଦଳାଇପାରନ୍ତି ବୋଲି କୁହାଯାଉଛି । ଏପରି ଆଶଙ୍କା ଥିବାରୁ ବିଜେଡି ତାଙ୍କୁ ଦଳରେ ରଖିବା ପାଇଁ ଉଦ୍ୟମ କରିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପଟେ ବିଜେପି ଯିବା ଚର୍ଚ୍ଚା ଭିତରେ ନିମାପଡାରେ ମଙ୍ଗଳବାର କର୍ମୀ ସମ୍ମିଳନୀ କରିଛନ୍ତି ସମୀର ।

ତିନି ବର୍ଷରୁ ଅଧିକ ସମୟ ଧରି ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱରେ ରହି ବିଭାଗକୁ ସୂଚାରୁରୂପେ ଚଳାଇଥିଲେ ସମୀର ଦାସ  । ତେବେ ନିର୍ବାଚନ ବର୍ଷକ ପୂର୍ବରୁ ତାଙ୍କ ନାମରେ ବହୁ ଅଭିଯୋଗ ଆସିଥିଲା, ସେଥିପାଇଁ ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ଚର୍ଚ୍ଚା ହୁଏ  ।