ଆଦାନୀଙ୍କ ସମର୍ଥନରେ ଏନସିପି ନେତା ଶରଦ ପାୱାର । କହିଲେ, ଜେପିସି ତଦନ୍ତର ନାହିଁ ଆବଶ୍ୟକତା ।

603

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ କଂଗ୍ରେସ ସମେତ ବିରୋଧୀ ଦାବି କରିଆସୁଥିବା ବେଳେ ଏବେ ଏନସିପି ସୁପ୍ରିମୋ ଶରଦ ପାୱାର ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସେ ଆଦାନୀ ଗ୍ରୁପକୁ ସମର୍ଥନ କରିବା ସହ ଏହି ମାମଲାରେ ଜେପିସି ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଶରଦ ପାୱାରଙ୍କ ଏହି ମନ୍ତବ୍ୟ ପରେ ବିରୋଧୀଙ୍କ ଏକତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିଜେପି କଂଗ୍ରେସକୁ ସମାଲୋଚନା କରିଛି ।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି । କିନ୍ତୁ କଂଗ୍ରେସ, ରାହୁଲ ଗାନ୍ଧୀଙ୍କ କ୍ୟାରିୟରକୁ ଚମକାଇବା ପାଇଁ ଏହାକୁ ପ୍ରସଙ୍ଗ କରୁଛି । ସେପେଟ କଂଗ୍ରେସ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏହାକୁ ଶରଦ ପାୱାରଙ୍କ ବ୍ୟକ୍ତିଗତ ବିଚାରଧାରା କହିଛି । ଏହାସହ ଆଦାନୀ ପ୍ରସଙ୍ଗରେ ଏନସିପି ସହ ୨୦ ବିରୋଧୀ ଦଳ ଏକଜୁଟ ଥିବା କଂଗ୍ରେସ ଦାବି କରିଛି । ଶୁକ୍ରବାର ଏକ ସାକ୍ଷାତକାରରେ ଶରଦ ପାୱାର ଆଦାନୀ ଗ୍ରୁପ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପାୱାର ଗୌତମ ଆଦାନୀଙ୍କୁ ସମର୍ଥନ କରି କହିଥିଲେ ଯେ ଏକ ଶିଳ୍ପସଂସ୍ଥାକୁ ଟାର୍ଗେଟ୍ କରାଯାଉଛି । ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ସମ୍ପୂର୍ଣ୍ଣ ବ୍ୟର୍ଥ ବୋଲି ମଧ୍ୟ କହିଥିଲେ । ଏହାସହ ହିଣ୍ଡେନବର୍ଗ ରିପୋର୍ଟକୁ ମଧ୍ୟ ସେ ସମାଲୋଚନା କରିବା ସହ ହିଣ୍ଡେନବର୍ଗର ବ୍ୟାକଗ୍ରାଉଣ୍ଡ କ’ଣ, ତାହା ଜାଣିବା ଆଗ ଦରକାର ବୋଲି କହିଥିଲେ ।