ଚେହେରା ବଦଳାଉଛି, ଲୁଚି ବୁଲୁଛି: ପ୍ଲାଷ୍ଟିକ ସର୍ଜରୀ କରିଛି ଅମ୍ରିତପାଲ ସିଂ! ଭିଣ୍ଡରୱାଲାଙ୍କ ଭଳି ବଦଳାଇଛି ନିଜ ଚେହେରା

296

କନକ ବ୍ୟୁରୋ: ମାର୍ଚ୍ଚ ୧୮ ତାରିଖରୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ । ଅମ୍ରିତ ପାଲ କେଉଁଠି ଲୁଚି ରହିଛି ତାର ଟେର ପାଉନି କେନ୍ଦ୍ରୀୟ ଯାଂଚ ଏଜେନ୍ସି ଓ ପୁଲିସ । ରାଜ୍ୟରୁ ରାଜ୍ୟ କେବେଳ ଚେହେରା ବଦଳାଇ ତ ପୁଣି କେବେ ପୋଷାକ ଏବଂ ଲୁକ ପରିବର୍ତନ କରି ପୁଲିସକୁ ଦେଉଛି ଚକମା । । ଅନ୍ୟପଟେ ଏକ ଚାଂଚଲ୍ୟକର ଖୁଲ୍ଲାସା ମଧ୍ୟ ହୋଇଛି । ୭୦ଦଶକରେ ପଂଜାବରେ ଆତଙ୍କ ଖେଳାଇଥିବା ଚରମପନ୍ଥି ନେତା ଜରନେଲ ସିଂ ଭିଣ୍ଡରୱାଲାଙ୍କୁ ନିଜର ଆଦର୍ଶ ମାନୁଥିବା ଅମ୍ରିତପାଲ ପ୍ଲାଷ୍ଟିକ ସର୍ଜରୀ କରିଥିଲା । ଭାରତକୁ ଆସିବା ପୂର୍ବରୁ ଜର୍ଜିଆରେ ଅମ୍ରିତପାଲ ପ୍ଲାଷ୍ଟିକ ସର୍ଜରୀ କରିଥିବା ନେଇ କୁହାଯାଉଛି ।

ଅମ୍ରିତପାଲ ଜଣେ ସହଯୋଗୀ ଆସାମ ସେଂଟ୍ରାଲ ଜେଲରେ ବନ୍ଦୀ ରହିଛି ଓ ତାକୁ ଜେରା ସମୟରେ ଏହି ଖୁଲ୍ଲାସା ହୋଇଛି । ସହଯୋଗୀ କହିଛି, ଦୁବାଇରୁ ଭାରତ ଆସିବା ପୂର୍ବରୁ ଅମ୍ରିତପାଲ ଦୁଇମାସ ଧରି ଜର୍ଜିଆରେ ରହିଥିଲା । ଜୁନ ୨୦ ୨୦୨୨ରେ ଜର୍ଜିଆରେ ପହଁଚିବା ପରେ ଚେହେରାର କିଛି ଅଂଶକୁ ପ୍ଲାଷ୍ଟିକ ସର୍ଜରୀ କରିଥିଲା । ଚରମପନ୍ଥୀ ନେତା ଜରନେଲ ସିଂ ଭିଣ୍ଡରୱାଲାଙ୍କୁ ନିଜ ଆଦର୍ଶ ମାନେ ଅମ୍ରିତପାଲ । ତେଣୁ ତାଙ୍କ ସହ ନିଜ ଚେହେରାର ସାମଞ୍ଜସ୍ୟ ରଖି ଏହି ପ୍ଲାଷ୍ଟିକ ସର୍ଜରୀ କରିଥିଲା । ଯାହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ଏହି ଖଲିସ୍ତାନୀ ସମର୍ଥକ ।

ଚର୍ଚ୍ଚା ହେଉଛି ଖୁବ ଶିଘ୍ର ଚୋର-ପୁଲିସ ଖେଳ ଶେଷ ହୋଇପାରେ । କାରଣ ଅମ୍ରିତପାଲ ଆତ୍ମସମର୍ପଣ କରିବା ନେଇ ଖବର ଆସୁଛି । କିଛି ଶିଖ ନେତା ଅମ୍ରିତପାଲ ଓ ପଂଜାବ ପୁଲିସ ମଧ୍ୟରେ ମଧ୍ୟସ୍ତା କରି ଅମ୍ରିତପାଲକୁ ଆତ୍ମସମର୍ପଣ ପାଇଁ ବୁଝାଇଥିବା କୁହାଯାଉଛି ।

ଗୋଟେ ପଟେ ଅମ୍ରିତପାଲ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ଅନ୍ୟପଟେ ପଂଜାବ ପୁଲିସ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରିଛି । ପଂଜାବ ଓ ପଡୋଶୀ ରାଜ୍ୟରେ ହାଇଆର୍ଲଟ ଜାରି କରାଯାଇଛି ।