କୋଟିଆରେ ଭୋଟକୁ ନେଇ ଦ୍ୱନ୍ଦ୍ୱ । ଓଡିଶା ଓ ଆନ୍ଧ୍ରର ଭୋଟ୍ ପରିଚୟପତ୍ର ରଖିଛନ୍ତି କୋଟିଆବାସୀ । ଭୋଟ୍ ଦେବେ କି ଦୁଇ ଜାଗାରେ?

46

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଆସୁଛି । ଏହି ଗଣତନ୍ତ୍ର ମହାନ ପର୍ବରେ ସାମିଲ ହୋଇ ସମସ୍ତେ ନିଜର ମୂଲ୍ୟବାନ ମତଦାନ କରିବେ । ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟ, ଏହା ଗଣତନ୍ତ୍ରର ମନ୍ତ୍ର ହୋଇଥିବା ବେଳେ କୋଟିଆ ବାସୀଙ୍କ ପାଖରେ ରହିଛି ଓଡିଶା ଓ ଆନ୍ଧ୍ରର ଭୋଟ ପରିଚୟ ପତ୍ର । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ କୋଟିଆବାସୀ କାହାକୁ ଦେବେ ଭୋଟ ସେ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ନିର୍ବାଚନ ନେଇ କୋରାପୁଟ ଜ଼ିଲ୍ଲା ପ୍ରଶାସନ ତରଫରୁ ସମସ୍ତ  ପ୍ରସ୍ତୁତି ସରିଥିବା ବେଳେ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି । କୋଟିଆ ବାସୀଙ୍କ ପାଖରେ ରହିଛି ଦୁଇଟି ଭୋଟ ପରିଚୟ ପତ୍ର  । ଓଡିଶା ଓ ଆନ୍ଧ୍ରର ଭୋଟ ପରିଚୟ ପତ୍ର ଥିବାବେଳେ କୋଟିଆ ବାସୀ କାହାକୁ ଭୋଟ୍ ଦେବେ ସେ ନେଇ  ଅନିଶ୍ଚିତତା ଲାଗି ରହିଛି । କୋଟିଆରେ ରାଜ୍ୟ ସରକାରଙ୍କ ତରଫରୁ ରାସ୍ତା, ପାନୀୟ ଜଳ, ବିଦ୍ୟାଳୟ ଆଦି  ଉନ୍ନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି ସେପଟେ ଆନ୍ଧ୍ର ମଧ୍ୟ ବିଭିନ୍ନ ସମୟରେ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ଚେଷ୍ଟା ଜାରି ରଖିଛି  । ଯାହାକୁ ନେଇ କୋଟିଆବାସୀ ଏବେ ଦ୍ୱନ୍ଦରେ ପଡିଛନ୍ତି ।

ଉନ୍ନତି ନାଁ ନେଇ ପୋଷ୍ଟର ମାରି ବାହା ବାହା ନେଉଛି । କୋଟିଆରେ ରହିଥିବା ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଭୋଟ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିସାରିଛି । ଗୋଟେ ଦିନରେ ଦୁଇ ଦୁଇଟି ରାଜ୍ୟର ମତଦାନ ହେଇଥିବାରୁ କୋଟିଆ ବାସୀ ସକାଳେ ଓଡିଶା ଓ ଦିପ୍ରହରରେ ଆନ୍ଧ୍ରରେ ଭୋଟ ଦେବେ ବୋଲି କହିଛନ୍ତି । ତେବେ କୋଟିଆ ବାସୀଙ୍କୁ ସଚେତନତା କରାଇବା ସହିତ ସେମାନେ କିପରି ଓଡ଼ିଶାରେ ନିଜର ଭୋଟ ମତଦାନ କରିବେ ସେ ନେଇ ଚେଷ୍ଟା କରାଯାଉଥିବା କୁହାଯାଇଛି । ତେବେ ଦୋଛକିରେ ପଡିଥିବା କୋଟିଆ ବାସୀ କିଭଳି ଆନ୍ଧ୍ର ପ୍ରଲୋଭନରେ ନଆସିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ହୋଇଛି ।