ସରକାରୀ ଅର୍ଥ ଲାଗୁଛି ବ୍ୟକ୍ତିଗତ କାମରେ । ଲକ୍ଷାଧିକ ଟଙ୍କା ବ୍ୟୟରେ କାଶିପୁର ଓ ରାୟଗଡା ରାସ୍ତା ଲମ୍ବିଛି ଘରୋଇ ରିସୋର୍ଟକୁ

86

କନକ ବ୍ୟୁରୋ: ଜିଲ୍ଲା ଖଣିଜ ପାଣ୍ଠିକୁ ଅନ୍ୟର ସ୍ୱାର୍ଥ ପାଇଁ ଖର୍ଚ୍ଚ କରାଯାଇଛି । ଘରୋଇ ରିସୋର୍ଟକୁ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ସରକାରୀ ଟଙ୍କାରେ ରାସ୍ତା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । କାଶିପୁର ଓ ରାୟଗଡା ଜିଲ୍ଲାର ବିଭିନ୍ନ ସେକ୍ଟରରେ ଏହି ଟଙ୍କା ଖର୍ଚ୍ଚ କରାଯାଇଥିବା କେବଳ କାଗଜ କଲମରେ ଦର୍ଶାଯାଇଛି । ରାସ୍ତାଟି ନିର୍ମାଣ ହୋଇଛି ଏକ ଘରୋଇ ରିସୋର୍ଟକୁ । ରାସ୍ତା ପାଇଁ ୯୧ ଲକ୍ଷ ୪୪ ହଜାର ୧୫୭ ଟଙ୍କା ଖର୍ଚ କରାଯାଇଛି । ହେଲେ ଏହା କୌଣସି ଗାଁ କିମ୍ବା ସାହିକୁ ସଂଯୋଗ କରୁନାହିଁ । ସିଧା ଏହି ରାସ୍ତା ନାଗାବଳୀ ନଦି କୂଳରେ ଆନ୍ଧ୍ରର ଜଣେ ବ୍ୟକ୍ତିଙ୍କ ରିସୋର୍ଟକୁ ସଂଯୋଗ ହୋଇଛି । ତେବେ ଘରୋଇ ରିସୋର୍ଟ ପ୍ରତି ଏହିଭଳି ଗଭୀର ଅନୁକମ୍ପା ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

କାଶିପୁର ବ୍ଳକରେ ଯେତିକି ଖଣିଜ ପାଣ୍ଠି ଖର୍ଚ୍ଚ ହୋଇଛି ଅନେକ ଉନ୍ନତି କରାଯାଇପାରିଥାନ୍ତା । ତେବେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଏପରି ମନମୂଖୀ କାର୍ଯ୍ୟ ହେଇଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳ ସଂଯୋଗୀକରଣରୁ ନେଇ ପାନୀୟ ଜଳ ଓ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ନିମ୍ନମାନର । ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି । ତେବେ ଗାଁର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିଲେ ବି କାମରେ ଲାଗିପାରୁନି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇଛି ।