ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା ।

148

କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଚାଲିଛି ଯାତ୍ରା । କେବେ ଯେ ଜୀବନ ଚାଲିଯିବ ତାହା କହିହେବନି । ମରଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ପିଲାରୁ ବୁଢା ସମସ୍ତେ । ରାସ୍ତା ସମସ୍ୟା ଯୋଗୁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ଯେଉଁ ଗୋଟିଏ ରାସ୍ତା ଅଛି ସମସ୍ତଙ୍କୁ ୧୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡିଥାଏ । ତେଣୁ ଲୋକେ ବାଧ୍ୟ ହୋଇ ଋଷିକୁଲ୍ୟା ନଦୀ ଉପରେ ରେଳ ଧାରଣା କଡରେ ଥିବା ଛୋଟ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ।

ପ୍ରତିଦିନ ଶହ ଶହ ଲୋକ ବିପଦ ସଙ୍କୁଳ ଅବସ୍ଥାର ରେଳ ଧାରଣା କଡ଼ରେ ଯାଉଛନ୍ତି । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଦେଇ ଯାଉଛନ୍ତି ଛୋଟରୁ ବଡ ସମସ୍ତେ । ଟ୍ରେନ୍ ଯିବା ଆସିବା କରିବା ସମୟରେ କିଛି ସମୟ ରହିଯାନ୍ତି ଲୋକେ । ଆଉ ଏହାପରେ ପୁଣିଥରେ ଆରମ୍ଭ ହୋଇଥାଏ ଗମନାଗମନ ।

ଏହି ରାସ୍ତାରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ପ୍ରାୟ ୫ ଖଣ୍ଡ ଗାଁର ଲୋକେ ଯିବାଆସିବା କରୁଛନ୍ତି । ୨୦ ବର୍ଷ ପୂର୍ବରୁ ପୁରୁଣା ପୋଲ ଭାଙ୍ଗିଯାଇଥିବା ବେଳେ ଏବେ ଏହି ରେଳ ଧାରଣା ଉପରେ ଲୋକେ ଯିବାଆସିବା କରୁଛନ୍ତି । ପୂର୍ବରୁ ବହୁ ଦୁର୍ଘଟଣା ଘଟିବାର ନଜିର ରହିଛି । ନୂଆ ପୋଲ ପାଇଁ ବହୁବାର ଦାବି ମଧ୍ୟ କରାଯାଇଛି । ହେଲେ ଏବେ ବି ଲୋକେ ସେହି ସମାନ ବିପଦ ସଙ୍କୁୁଳ ଅବସ୍ଥାରେ ଯା’ଆସ କରୁଛନ୍ତି । ସ୍କୁଲ ପିଲାମାନଙ୍କର ବି ନିତିଦିନିଆ ବାଟ ପାଲଟିଗଲାଣି ଏହି ରାସ୍ତା । ତୁରନ୍ତ ପୋଲ ତିଆରି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ତେବେ ରାତି ପାହିଲେ ବିପଦଜନକ ଯାତ୍ରା କରୁଛନ୍ତି ଗାଁର ଲୋକେ । ଏନେଇ ଖୁବଶୀଘ୍ର ଗୁରୁତ୍ୱ ଦିଆଯାଇ ପୋଲ ତିଆରି କରିବା ଜରୁରୀ ହୋଇପଡିଛି ।