ନେତା ଓ ପ୍ରଶାସନକୁ ଚରମବାଣୀ ଶୁଣାଇଲେ ଭୋଟର । ପାଣି ସମସ୍ୟା ପାଇଁ ନିଆଇ ଓ ପିପିଲି ଭୋଟର, ଏବଂ ନେଟ୍ ସମସ୍ୟା ପାଇଁ ବିଲାମାଳ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀ

48

କନକ ବ୍ୟୁରୋ : କୌଣସି ଉପାନ୍ତ ଅଂଚଳ ନୁହେଁ ଉପକୂଳରେ ଉକ୍ରଟ ପାନୀୟ ଜଳ ସମସ୍ୟା । ପୁରୀ ପିପିଲି ବ୍ଲକ ଅଲାରପୁର ଦଳିତ ସାହିରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୫୦ରୁ ଅଧିକ ପରିବାର । ସାହି ଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ପାଣି ଟାଙ୍କି । କିନ୍ତୁ ସାହିର ଲୋକଙ୍କୁ ମିଳିପାରୁନି ବିଶୁଦ୍ଧ ପିଇବା ପାଣି । ତେଣୁ ବାଧ୍ୟ ହୋଇ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ଲୋକେ । ନିଜ ଘର କାନ୍ଥ ଓ ବାହାରେ ପୋଷ୍ଟର ମଧ୍ୟ ମାରିଛନ୍ତି । ଗାଁକୁୁ ପ୍ରଚାର ପାଇଁ ନେତା ଆସିଲେ ପ୍ରଶ୍ନ କରିବେ ବୋଲି କହିଛନ୍ତି ।

କଟକ ନିଆଳି ବ୍ଲକ ଜଟପଡ଼ା ଗାଁରେ ବି ଜଳଯନ୍ତ୍ରଣା କିଛି କମ୍ ନୁହେଁ । ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଅଛି, କିନ୍ତୁ ପାଣି ଆସୁନି କି ଶୋଷ ମେଂଟୁନି । ଗାଁରେ ଥିବା ଗୋଟିଏ ନଳକୂପ ଉପରେ ନିର୍ଭର କରୁଛି ପୁରା ଗାଁ । ସେଥିରୁ ପୁଣି ବାହାରୁଛି ଗୋଳିଆ ପାଣି । ଯାହା ପିଇବା ଯୋଗ୍ୟ ନୁହେଁ । ତଥାପି ସେ ପାଣି ପିଇ ରୋଗରେ ପଡୁଛନ୍ତି । ଏନେଇ ସଂରପଂଚଙ୍କ ଠାରୁ ନେଇ ପ୍ରଶାସିକ ଅଧିକାରୀଙ୍କୁ ବହୁବାର କହିଲେ ବି କେହି ଶୁଣୁନାହାନ୍ତି । ତେଣୁ ନିର୍ବାଚନ ଆଗରୁ ତୁରନ୍ତ ଏହାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଚେତାଇ ଦେଇଛନ୍ତି ଅଂଚଳବାସୀ ।

ନିର୍ବାଚନ ବେଳେ ଗାଁରେ ନେତାଙ୍କ ମେଳି । ବର୍ଷ ବର୍ଷ ଧରି ଗାଁ ଲୋକଙ୍କୁ ଭୁଲି ଯାଇଥିବା ନେତା ଭୋଟ୍ ବେଳେ ଆସୁଛନ୍ତି । ଆଉ ନେତାଙ୍କୁ ଜବାବ ଦେବାକୁ ପ୍ରସ୍ତତ ଜନତା । ନେଟୱର୍କ ନାହିଁ ତ ଭୋଟ ନାହିଁ । ଏଭଳି ସ୍ଲୋଗାନ ସହ ପ୍ଲା କାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଂଚାୟତବାସୀ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ଦାଖଲ ପାଇଁ ଯିବା ସମୟରେ ତାଙ୍କୁ ରାସ୍ତା ଛାଡ଼ି ନଥିଲେ ଲୋକେ । ନିଜ ଅଂଚଳରେ ମୋବାଇଲ ନେଟୱର୍କ ନଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । ଅନେକ ଥର ଦାବି ପରେ ନେଟୱର୍କ ନିର୍ମାଣ ହୋଇଛି କିନ୍ତୁ ଏହା କାର୍ଯ୍ୟକ୍ଷମ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପ୍ରକାଶ ପାଇଛି ।