୨୪ରେ କୋରାପୁଟବାସୀ ଦେଖିବେ ବିଗ୍ ଫାଇଟ୍ । କଂଗ୍ରେସର ସପ୍ତଗିରି ଉଲାକାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କୌଶଲ୍ୟା ହିକକା

100

କନକ ବ୍ୟୁରୋ : ଆସନ୍ତା ମେ ୧୩ରେ କୋରାପୁଟ ଲୋକସଭା ପାଇଁ ପଡିବ ଭୋଟ । କୋରାପୁଟ୍ରେ ତିନି ପ୍ରମୁଖ ଦଳ ସମେତ ସ୍ୱାଧୀନ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ପ୍ରଚାରରେ ମାତିଛନ୍ତି । କଂଗ୍ରେସ ଲୋକସଭା ପ୍ରାର୍ôଥ ସପ୍ତଗିରି ଉଲ୍ଲାକା, ବିଜେଡ଼ିର କୌଶଲ୍ୟା ହିକକା ଓ ବିଜେପିର କାଳିରାମ ମାଝୀଙ୍କ ମଧ୍ୟରେ ପ୍ରଚାର ଲଢେଇ ଚାଲିଛି । ମତଦାନ ତାରିଖ ପାଖେଇ ଆସୁଥିବାରୁ ମତଦାତାଙ୍କୁ ମନେଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ନେତା । ଭିନ୍ନଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାଟେଇବାରୁ ଚେଷ୍ଟା କରୁଛନ୍ତି ।

ରାୟଗଡା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳି ଓ କୋରାପୁଟ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ କୋରାପୁଟ ଲୋକସଭା ଆସନ । ୨୦୧୯ରେ କଂଗ୍ରେସ ହାତକୁ ଯାଇଥିଲା ଏହି ଆସନ । କଂଗ୍ରେସର ସପ୍ତଗିରି ଉଲ୍ଲାକାଙ୍କୁ ମିଳିଥିଲା ୩,୭୧,୧୨୯ ଭୋଟ । ବିଜେଡିର କୌଶଲ୍ୟା ହିକ୍କା ପାଇଥିଲେ ୩,୬୭,୫୧୬ ଭୋଟ । ବିଜେପିର ଜୟରାମ ପାଙ୍ଗୀଙ୍କ ଖାତାକୁ ଯାଇଥିଲା ୨,୦୮,୩୯୮ ଭୋଟ୍ । ଏଥର କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଅପରିବର୍ତିତ ଥିବା ବେଳେ ବିଜେପି ନୂଆ ମୂହଁ ଆଣିଛି । ତେଣୁ ୨୦୧୯ ଭଳି ୨୦୨୪ରେ କୋରାପୁଟରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ କଡା ଟକ୍କର ହେବ, ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ଚର୍ଚ୍ଚା ହେଉଛି ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଜି ବି ଅନେକ ସମସ୍ୟା ଲାଗି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଜ଼ିଲ୍ଲା ଏବେ ବି ଅବହେଳିତ ଭାବେ ରହିଛି । ତେଣୁ ଗାଁର ସୁବିଧା କଲେ ଭୋଟ ଦେବେ ବୋଲି ମନସ୍ତ କରିଛନ୍ତି ଭୋଟର ।