ଦୁଇ ଭାଗରେ ବାଣ୍ଟି ହେଇଯାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳରେ ସବୁକିଛି ଠିକ୍ ଚାଲିନି । ବଡ ଖୁଲାସା କଲେ ବିଶ୍ୱକପ୍ ବିଜୟୀ ଅଧିନାୟକ ।

1,597

କନକ ବ୍ୟୁରୋ: ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ନେଇ ଆସିଲା ବଡ ଖବର । ବିଶ୍ୱକପ୍ ବିଜେତା ଖେଳାଳି ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ୍କୁ ନେଇ ଦେଇଛନ୍ତି ବଡ ଅପଡେଟ୍ । ତାଙ୍କ କହିବା ମୁତାବକ, ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦୁଇ ଭାଗରେ ବାଣ୍ଟି ହେଇଯାଇଛି । ଟିମ୍ ଗୋଟିଏ ୟୁନିଟ୍ ଭାବେ ଖେଳୁନାହିଁ । ଏପରିକି ଡ୍ରେସିଂ ରୁମରେ ମଧ୍ୟ ସବୁକିଛି ଠିକ୍ ଚାଲିନି ବୋଲି ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ।

ଏଥର ଆଇପିଏଲରେ ଭଲ ପ୍ରଦର୍ଶନ କରିପାରିନି ମୁମ୍ବାଇ ଇଣ୍ଡିଆନ୍ସ । ଦଳରେ ଷ୍ଟାର ଖେଳାଳି ଥିଲେ ମଧ୍ୟ, ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିନି । ଖାସ୍ କରି ଯେବେଠୁ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇଛି, ସେବେଠୁ ଦଳରେ ସବୁକିଛି ଠିକ୍ ଚାଲିନି । ଆଉ ଏହାରି ଭିତରେ ଦଳ ଦୁଇ ଭାଗରେ ବାଣ୍ଟି ହେଇଯାଇଥିବା ନେଇ ଖୁଲାସା କରିଛନ୍ତି ମାଇକେଲ କ୍ଲାର୍କ ।
କ୍ଲାର୍କଙ୍କ କହିବା ମୁତାବକ, ବର୍ତ୍ତମାନ ଏହି ଟିମ୍ ଆଉ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିଲା ପରି ତାଙ୍କୁ ଲାଗୁନି । ଦଳ ବାହାରକୁ ଯେପରି ଦିଶୁଛି, ଭିତରେ କିନ୍ତୁ ସେଭଳି ସ୍ଥିତି ନାହିଁ । ଦଳ ଭିତରେ ଅନେକ କିଛି ଚାଲିଛି । ଆମେ ଏତେ ଖେଳାଳିଙ୍କୁ ଏକା ସାଙ୍ଗରେ ଖରାପ ପ୍ରଦର୍ଶନ କରୁଥିବା କେବେ ବି ଦେଖିନୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣଙ୍କୁ ବଡ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଅଛି, ତେବେ ଆପଣଙ୍କୁ ପୂରା ଟିମ ଭାବେ କମାଲ କରିବାକୁ ହେବ । ଜଣେ ଖେଳାଳି ଆପଣଙ୍କୁ କେବେ ବି ଟୁର୍ଣ୍ଣାମେଣ୍ଟ ଜିତାଇପାରିବ ନାହିଁ । ଗୋଟିଏ ଟିମ୍ ଭାବରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିପାରୁନି । ତେଣୁ ଖୁବଶୀଘ୍ର ଦଳରେ କିଛି ବଡ ଧରଣର ପରିବର୍ତ୍ତନ ହେଇପାରେ ବୋଲି ଅନୁମାନ କରିଛନ୍ତି ମାଇକେଲ କ୍ଲାର୍କ ।

ସୂଚନାଯୋଗ୍ୟ ଯେ, ଏଥର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟେଇ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ ଦାୟିତ୍ୱ ଦେଇଥିଲା । ଯାହାକୁ କିଛି ଖେଳାଳି ସହଜରେ ଗ୍ରହଣ କରିପାରିନଥିଲେ । ଖାସ୍ କରି ସୂର୍ଯ୍ୟକୁମାର ଯାଦବ, ଜଶପ୍ରୀତ ବୁମରାଙ୍କ ଭଳି ଖେଳାଳି ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦଳ ସେଭଳି କିଛି ଖାସ୍ ପ୍ରଦର୍ଶନ କରିପାରିନି ।