ନିର୍ବାଚନର ଠିକ୍ ପୂର୍ବରୁ କାହିଁକି ଗିରଫ ହେଲେ କେଜ୍ରିୱାଲ? ଇଡିକୁ ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ ।

287

କନକ ବ୍ୟୁରୋ: ଇଡିକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ କହିବା କଥା, ଠିକ୍ ନିର୍ବାଚନ ସମୟରେ କାହିଁକି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଗଲା? ଏହା ପଛର କାରଣ କଣ? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଶୁକ୍ରବାର ଏନେଇ ଇଡି ନିଜର ଜବାବ ରଖିବେ ବୋଲି ସୂନଚା ମିଳିଛି ।

ସୁପ୍ରିମକୋର୍ଟଙ୍କ କହିବା କଥା, ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଜଡିତ ମାମଲାରେ ଯାଞ୍ଚକର୍ତ୍ତାମାନେ ଦାବି କରିଛନ୍ତି ଯେ, ତାଙ୍କୁ ଏ ସମ୍ପର୍କରେ ଅନେକ ସାମଗ୍ରୀ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ମାମଲାରେ ସେଭଳି କିଛି ବି ସାମ୍ନାକୁ ଆସିନି । ଯଦି ଯାଞ୍ଚକର୍ତ୍ତାଙ୍କ ପାଖରେ ସେଭଳି କିଛି ଅଛି, ତେବେ ଏହାକୁ ପେଶ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଅନେକ ପ୍ରଶ୍ନର ଉତ୍ତର ଶୁକ୍ରବାର ଇଡି ରଖିବ ବୋଲି ସୂଚନା ମିଳିଛି ।