ମାଳଦ୍ୱୀପ ପାଇଁ ଭାରତ ୯୧୧ କଲ୍ ଭଳି । ଭାରତକୁ ପ୍ରଂଶସା କରିବା ସହ ମୁଇଜ୍ଜୁ ସରକାର ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ।

235

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ମୁଇଜ୍ଜୁ ସରକାରର ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ନିଜ ଦେଶରେ ବିରୋଧର ସାମ୍ନା କରିବାକୁ ପଡିଛି । ଏପରିକି ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି ମୁଇଜ୍ଜୁ ସରକାର । ତେବେ ମୋଦୀଙ୍କୁ ନେଇ ମୁଇଜ୍ଜୁ ସରକାର ମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟକୁ ନେଇ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ କଡା ସମାଲୋଚନା କରିଛନ୍ତି । ମାରିଆ କହିଛନ୍ତି, ମୋଦୀଙ୍କ ବିରୋଧରେ ଏଭଳି ବୟାନ ମାଳଦ୍ୱୀପ ସରକାରଙ୍କ ଅପାରଦର୍ଶିତାକୁ ଦର୍ଶାଉଛି ।

କେବଳ ଏତିକି ନୁହେଁ ମାରିଆ କହିଛନ୍ତି, ମାଳଦ୍ୱୀପ ପାଇଁ ଭାରତ ହେଉଛି ୯୧୧ କଲ ଭଳି । ଯେକୌଣସି ବିପଦ ସମୟରେ ମାଳଦ୍ୱୀପ ସହ ଛିଡା ହୋଇଛି ଭାରତ । ମାଳଦ୍ୱୀପର ବିଶ୍ୱସ୍ତ ପଡୋଶୀ ରାଷ୍ଟ୍ର ହେଉଛି ଭାରତ । ପ୍ରତିରକ୍ଷା କ୍ଷେତ୍ରରେ ମାଳଦ୍ୱୀପକୁ ଅନେକ ପ୍ରକାର ସହଯୋଗ କରି ଆସିଛି ଭାରତ । ମାଳଦ୍ୱୀପ ଓ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ କମଜୋର କରିବାକୁ ଚେଷ୍ଟା କରୁଥିବା ମୁଇଜ୍ଜୁ ସରକାର ଉପରେ ବର୍ଷିଛନ୍ତି ମାରିଆ ।

ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ସବୁବେଳେ ନିଜର ପ୍ରଥମ ବିଦେଶ ଗସ୍ତ ଭାରତରୁ ଆରମ୍ଭ କରନ୍ତି । କିନ୍ତୁ ମୋହମ୍ମଦ ମୁଇଜ୍ଜୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତ ଗସ୍ତରେ ନଯାଇ ପ୍ରଥମେ ତୁର୍କୀ, ୟୁଏଇ ଓ ଚୀନ ଗସ୍ତରେ ଯାଇଛନ୍ତି । ଚୀନର ଦୃଢ ସମର୍ଥକ କୁହାଯାଉଥିବା ମୁଇଜ୍ଜୁ ପ୍ରଥମରୁ ହିଁ ଭାରତ ବିରୋଧୀ ବୟାନ ଦେଇ ଆସୁଛନ୍ତି । ମାଳଦ୍ୱୀପ ଏକ ଛୋଟ ଦେଶ । ଏହାର ସୀମା ଭାରତ ସହ ଲାଗିକି ରହିଛି । ମାଳଦ୍ୱୀପ ଏହା ପୂର୍ବରୁ ସବୁ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ଆସୁଛି । କିନ୍ତୁ ଏବେ ମୁଇଜ୍ଜୁ ସରକାରର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମାରିଆ । ଭାରତ ସହ ପୂର୍ବ ସମ୍ପର୍କ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଇଜ୍ଜୁ ।