ଖରା ପାଇଁ ରାତିରେ ଚାଲିଛି ନିର୍ବାଚନ ପ୍ରଚାର । କୋରେଇରେ ବିଜେପି ଓ ନବରଙ୍ଗପୁରରେ ବିଜେଡି ସାଂସଦ ଘର ଘର ବୁଲି କରୁଛନ୍ତି ପ୍ରଚାର

66

କନକ ବ୍ୟୁରୋ : ପ୍ରବଳ ଖରା ଓ ପ୍ରଚଣ୍ଡ ତାତି ପାଇଁ ପ୍ରଚାରର ପାରମ୍ପରିକ ଧାରା ବଦଳିଛି । ତାତିରୁ ବର୍ତିବା ପାଇଁ ରାତି ପ୍ରଚାରକୁ ବାଛିଛନ୍ତି ନେତା । ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ ପ୍ରଚାର କରୁଛନ୍ତି ବିଜେପି କୋରେଇ ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ । ସମର୍ଥକଙ୍କ ସହ ଘର ଘର ବୁଲି ଲୋକଙ୍କୁ ଭେଟୁଛନ୍ତି । ଯାଜପୁର ଜିଲ୍ଲାରେ ମତଦାନ ପାଇଁ ଆଉ ମାତ୍ର ମାସଟିଏ ବାକି ଅଛି । କୋରେଇରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡ଼ି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ । ବିଜେଡି ଛାଡି ବିଜେପିରେ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ଆକାଶ । କୋରେଇବାସୀଙ୍କ ଆଶୀର୍ବାଦ ଭଲ ପାଇବା ତାଙ୍କୁ ବିଜୟ କରିବ ବୋଲି ଆଶା ରଖିଛନ୍ତି ଆକାଶ ଦାସ ନାୟକ ।

ପାରଳାଖେମୁଣ୍ଡି ବିଜେଡି ବିଧାନସଭା ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପ୍ରଚାର । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସହ ଘରକୁ ଘର ବୁଲି ରାତିରେ ବାଇକ୍ ରାଲି କରି ପ୍ରଚାର କରିଛନ୍ତି ରୂପେଶ । ପ୍ରବଳ ଖରା ହେଉଥିବାରୁ ସଂଧ୍ୟାରେ ପ୍ରଚାର କରିଛନ୍ତି ପ୍ରାର୍ଥୀ । ବାଇକ୍ ରାଲି ସହ ଗାଁରେ ସଭା କରି ଲୋକଙ୍କ ସମର୍ଥନ ଲୋଡିଛନ୍ତି ଉଭୟ ପ୍ରାର୍ଥୀ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମାନି ରାତିରେ ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଶହ ଶହ ସମର୍ଥକଙ୍କୁ ନେଇ ଉମରକୋଟ ବିଜେଡି ବିଧାନସଭା ପ୍ରାର୍ଥୀ ନବୀନା ନାୟକଙ୍କ ସହ ମିଶି ଶୋଭାଯାତ୍ରା କରିଛନ୍ତି । ଘର ଘର ବୁଲୁଛନ୍ତି ଏବଂ ଲୋକଙ୍କୁ ଭୋଟୁଛନ୍ତି ପ୍ରାର୍ଥୀ । ସଭା ସମିତି କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ପ୍ରଦୀପ ମାଝୀ । ସେପଟେ ଉମରକୋଟର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ମଧ୍ୟ ରାତିରେ ଘରଘର ବୁଲୁଛନ୍ତି । ଲୋକଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ।