ନାମାଙ୍କନ ଭରିଲେ ନବୀନ । ପଡିଲା ବଡ ରେକର୍ଡର ମୂଳଦୁଆ । ଜିତିଲେ ଷଷ୍ଠ ଥର ପାଇଁ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ

114

କନକ ବ୍ୟୁରୋ: ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ତାରା ତାରିଣୀଙ୍କ ଦର୍ଶନ ପରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୪ସେଟ୍ ନାମାଙ୍କନ ପତ୍ର୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ସାଙ୍ଗରେ ଉପସ୍ଥିତ ଥିଲେ ବିଜେଡିର ବହୁ ବରିଷ୍ଠ ନେତା । ୨୦୦୦ ମସିହାରୁ ନବୀନ ପଟ୍ଟନାୟକ, ହିଞ୍ଜିଳିରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତି ଆସୁଛନ୍ତି । ଲଗାତାର ୫ ଥରର ବିଧାୟକ ହୋଇଛନ୍ତି ନବୀନ ପଟ୍ଟନାୟକ । ପ୍ରତ୍ୟେକ ନିର୍ବାଚନରେ ୬୫ ପ୍ରତିଶରୁ ଅଧିକ ଭୋଟ୍ ହାତେଇ ଲୋକପ୍ରିୟ ନେତା ଭାବେ ଖ୍ୟାତି ବି ପାଇଛନ୍ତି । ଆଉ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବା ଦିଗରେ ଆଜି ନାମାଙ୍କନ ସହ ମୂଳଦୁଆ ପକାଇଛନ୍ତି ।

  • ନବୀନ ଭରିଲେ ନାମାଙ୍କନ
  • ପଡିଲା ବଡ ରେକର୍ଡର ମୂଳଦୁଆ

୧୯୯୭ରୁ ୨୦୨୪ । ଏହା ଭିତରେ ୧୦ ଥର ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୭ରେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନ ଉପନିର୍ବାଚନ, ୧୯୯୮ରେ ଆସ୍କା ଲୋକସଭା ନିର୍ବାଚନରେ ବିଜେଡି ଟିକେଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ଆସନ ପାଇଁ ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଥିଲେ । ତାପରେ ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ହିଞ୍ଜିଳିରୁ ଲଢ଼ି ବିଜୟୀ ହୋଇ ଆସୁଛନ୍ତି ।

ଏହାରି ଭିତରେ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଉଭୟ ଆସନରୁ ସେ ବିଜୟୀ ହୋଇଥିଲେ । ଏବଂ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ଏବେ ପୁଣି ଥରେ ହିଞ୍ଜିଳିରୁ ନାମାଙ୍କନ ଦାଖଲ କରି ନବୀନ ଏକ ବିରଳ ରେକର୍ଡର ମୂଳଦୁଆ ପକାଇଛନ୍ତି । ଯଦି ସେ ଏଥର ବିଜୟୀ ହୁଅନ୍ତି, ଓ ସରକାର ଗଢ଼ନ୍ତି ଭାରତ ରାଜନୀତିରେ ଇତିହାସ ସୃଷ୍ଟି କରିବେ । ଦେଶର ପ୍ରଥମ ରାଜନେତା ଭାବେ ଲଗାତାର ବିଜୟ ଲାଭ କରି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ।

୨୦୦୦ ମସିହାରୁ ନବୀନ ଓଡିଶାର ଅଦ୍ୱିତୀୟ ନେତା ଭାବେ ସାରାଦେଶରେ ପରିଚିତ । କେନ୍ଦ୍ରରେ ଯେଉଁ ସରକାର ଥାଉ ନା କାହିଁକି ଓଡିଶାରେ ନବୀନ ଅପରାଜେୟ ତାହା ସବୁ ନିର୍ବାଚନରେ ପ୍ରମାଣିତ କରିଛନ୍ତି । ତେବେ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀଙ୍କ ହେବେ ବୋଲି କୁହାଯାଉଛି । କିନ୍ତୁ ଭାରତ ଇତିହାସର ପୃଷ୍ଠାକୁ ଓଲଟାଇଲେ ଗୋଟିଏ କଥା ଦେଖାଯାଉଛି, ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ ୨୪ ବର୍ଷ ୧୬୫ ଦିନ କ୍ଷମତାରେ ରହିବା ପରେ ୨୦୧୯ରେ କ୍ଷମତାରୁ ଅପସରି ଯାଇଥିଲେ । ମାତ୍ର ୨ଟି ଆସନ ପାଇଁ ୨୦୧୯ରେ ସିକିମରେ ସରକାର ଗଢ଼ି ପାରିନଥିଲେ ଚାମଲିଙ୍ଗ୍ । ଚାମଲିଙ୍ଗଙ୍କ ପଛକୁ ଅଛନ୍ତି ନବୀନ । ଏଥର ସେ ନିର୍ବାଚିତ ହୋଇ ସରକାର ଗଢ଼ିଲେ, ଚଳିତ ବର୍ଷ ସେ ଚାମଲିଙ୍ଗଙ୍କ ରେକର୍ଡକୁ ଭାଙ୍ଗିବେ ।

ସେହିପରି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ସ୍ୱାସ୍ଥ୍ୟଗତ କାରଣରୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଓହରିଯାଇଥିଲେ । ତେଣୁ ଏହି ନିର୍ବାଚନରେ ଜିତି ସରକାର ଗଢ଼ିବା ନବୀନଙ୍କ ପାଇଁ ଏକ ଆହ୍ୱାନ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ପୂର୍ବ ଘୋଷଣା ଅନୁସାରେ ନବୀନ କଣ୍ଟାବାଞ୍ଝିରୁ ନାମାଙ୍କନ କଲେ ତାହା ଏହି ତାଲିକାକୁ ଆହୁରି ବଢ଼ାଇ ଦେବ ।