ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା; ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍ ଚାଟ୍ । କଲେଜରେ ରାଗିଂ କରୁଥିଲେ ସିନିୟର…

567

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପୂର୍ବରୁ ନିଶାନ୍ତ ତାଙ୍କ ବନ୍ଧୁଙ୍କ ସହ କରିଥିବା ଚାଟରୁ ଜଣାପଡୁଛି କଲେଜରେ ସିନିୟରମାନେ ରାଗିଂ କରୁଥିଲେ ଆଉ ସେ ମାନସିକ ଚାପରେ ଥିଲେ ।

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ମୃତ ଛାତ୍ର ନିଶାନ୍ତଙ୍କ ହ୍ୱାଟସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି । କୁହାଯାଉଛି, ନିଶାନ୍ତ ବଲାଙ୍ଗୀରରେ ଆସି ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲରେ ରହିବା ପରେ ତାଙ୍କ ବନ୍ଧୁଙ୍କ ସହ ଏହି ଚାଟ କରିଥିଲେ । ଆଉ ନିଶାନ୍ତ କରିଥିବା ଚାଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି, କେମିତି କଲେଜରେ ଚାଲିଥିଲା ରାଗିଂ । ପ୍ରତିଦିନ ଜୁନିୟର ପିଲାଙ୍କୁ ୩ରୁ ୪ ଘଣ୍ଟା ରାଗିଂ କରୁଛନ୍ତି ସିନିୟର ଛାତ୍ର । ସ୍ପୋର୍ଟସ ମିଟରେ ଜୁନିୟର ପିଲାଙ୍କୁ ଭଲିବଲ କୋର୍ଟରେ ଠିଆ କରାଯାଉଛି । ସିନିୟର ମାନଙ୍କୁ ୱିସ କରିବାକୁ ବାଧ୍ୟ କରାଯାଉଛି । ସିନିୟର ଛାତ୍ରଙ୍କ ଖେଳ ଦେଖିବାକୁ ଜୁନିୟର ଛାତ୍ରଙ୍କୁ ବାଧ୍ୟ କରାଯାଉଛି, କିନ୍ତୁ ଖେଳିବାକୁ ସୁଯୋଗ ଦିଆଯାଉନାହିଁ । ପାର୍କକୁ ଯିବା ପାଇଁ ଜୁନିୟରଙ୍କୁ ଅନୁମତି ନାହିଁ ।

ପୁଅର ମୃତ୍ୟୁ ପରେ ନିଶାନ୍ତଙ୍କ ମା ଓ ବାପା ଆଣିଥିବା ଅଭିଯୋଗ, ଆଉ ଏବେ ସାମନାକୁ ଆସିଥିବା ହ୍ୱାଟ୍ସଆପ୍ ଚାଟରୁ ସ୍ପଷ୍ଟ ହେଉଛି, କଲେଜରେ ସବୁକିଛି ଠିକଠାକ ଚାଲିନଥିଲା । ନିଶାନ୍ତ ସିନିୟରଙ୍କ ରାଗିଂ ଯୋଗୁଁ କେଉଁଠି ନା କେଉଁଠି ମାନସିକ ଚାପରେ ଥିଲେ । ଦୁଶ୍ଚିନ୍ତାରେ ଥିଲେ ଓ ଭୟଭୀତ ହୋଇଯାଇଥିଲେ । ନିଜ ଦୁଃଖକୁ ସେ ନିଜ ଭିତରେ ଚାପି ରଖୁଥିଲେ, ସାଙ୍ଗ ତୁରନ୍ତ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମନା କରିଥିଲେ ନିଶାନ୍ତ । କାଳେ ସିନିୟର ଛାତ୍ରମାନେ ଅଧିକ ଆକ୍ରୋଶ ରଖିବେ, ଅଧିକ ହଇରାଣ କରିବେ ଓ ନିର୍ଯାତନା ଦେବେ । ସେହି ଭୟରେ ତୁରନ୍ତ ଲିଖିତ ଅଭିଯୋଗ କରିନଥିଲେ । ଏପରିକି ମାଙ୍କୁ ମଧ୍ୟ ଅଭିଯୋଗ କରିବାକୁ ମନା କରିଥିଲେ ।

ନିଶାନ୍ତ ମାନସିକ ଦୁଶ୍ଚିନ୍ତାରେ ଥିବାବେଳେ ହଷ୍ଟେଲ ଛାତରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । କିନ୍ତୁ ନିଜେ ଡେଇଁଛନ୍ତି ନା ତାଙ୍କୁ ଠେଲି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ହ୍ୱାଟ୍ସଆପ୍ ଚାଟକୁ ନେଇ ନିଶାନ୍ତଙ୍କ ବାପା ଥାନାରେ ଅଭିଯୋଗ କରିଥିବାରୁ ସେହି ଆଧାରରେ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ କଲେଜକୁ ରାଗିଂ ମୁକ୍ତ କରିବା ଜରୁରୀ ହୋଇପଡିଛି ।