ଗରମ ତାତିରେ ପୂରା ଓଡ଼ିଶା ସିଝୁଛି, ଘଣ୍ଟା ଘଣ୍ଟା ପାୱାରକଟ୍ ଚିନ୍ତା ବଢାଉଛି । 

114

କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଏବେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଏନଟିିପିସି ଦର୍ଲିପାଲି ପାୱାର ଷ୍ଟେସନରେ ଉତ୍ପାଦନ ବନ୍ଦ ହେବାରୁ ଆଗକୁ ଆହୁରି ସମସ୍ୟା ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି  ।

ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ବିଦ୍ୟୁତ୍ କାଟ ଯନ୍ତ୍ରଣାକୁ ଦୁଇଗୁଣ ବଢ଼ାଇ ଦେଇଛି । ଖୋର୍ଦ୍ଧା ବୋଲଗଡରେ ବିଦ୍ୟୁତ୍ କାଟ ଯୋଗୁଁ ବୟୋଜେଷ୍ଠ ଓ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ବିଂଚଣା ପବନକୁ ଭରସା  କରିବାକୁ ବାଧ୍ୟ ହେଉଛନ୍ତି । ପିଲାମାନେ ପାଠ ପଢ଼ିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାୟଗଡାରୁ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ମୋବାଇଲ ଲାଇଟ୍ ଓ ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି ପିଲା ।

ଅଘୋଷିତ ବିଦ୍ୟୁତ୍ କାଟ ଜାରି ରହିଥିବାବେଳେ, ଏନଟିପିସିର ଦର୍ଲିପାଲି ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ସୃଷ୍ଟି ହୋଇଛି । ଟର୍ବାଇନ୍ ଅଚଳ ହୋଇଯିବାରୁ ଉତ୍ପାଦନ ପ୍ରଭାବିତ ହୋଇଥିବା ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ଉତ୍ପାଦନ ପ୍ରଭାବିତ ହେବାରୁ ବିଦ୍ୟୁତ ଯୋଗାଣରେ ମଧ୍ୟ ଅସୁବିଧା ଦେଖାଦେଇଛି । ଏନଟିପିସିର ଦର୍ଲିପାଲି ପାୱାର ଷ୍ଟେସନରେ ୮ ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରେ ଓଡ଼ିଶାକୁ ମିଳିଥାଏ ୪ ଶହ ମେଗାୱାଟ୍ ବିଦ୍ୟୁତ । ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ଯୋଗୁଁ ଆବଶ୍ୟକ ବିଜୁଳି ଶକ୍ତି ଉପଲବ୍ଧ ହେଉନାହିଁ । ଯାହା ଆଗାମୀ ଦିନରେ ବିଦ୍ୟୁତ୍ ସଂକଟକୁ ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି ।

ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ବିଦ୍ୟୁତକାଟକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସମସ୍ୟାର ଗୁରୁତ୍ୱ ଦୃଷ୍ଟିରୁ ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । କେମିତି ବିଦ୍ୟୁତ ସଂକଟର ସମାଧାନ କରାଯାଇପାରିବ ସେନେଇ ଶକ୍ତି ସଚିବ, ଗ୍ରୀଡକୋ ଏବଂ ଓପିଟିସିଏଲ୍ର ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।