ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ। ବଦଳିବ ଶ୍ରୀମନ୍ଦିରରେ ନୀତିକାନ୍ତି ସମୟ।

171

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣରେ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ । ବଦଳିବ ଶ୍ରୀମନ୍ଦିରରେ ନୀତିକାନ୍ତି ସମୟ । ଚଳିତବର୍ଷ ନଭେମ୍ବର ୮ ତାରିଖରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ଦିନ କେବେ ପାକତ୍ୟାଗ ହେବ ଓ କଣ ଦେବନୀତି ନିଷେଧ ହେବ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଛି । ଜ୍ୟୋତିର୍ବିଦମାନେ ସୂର୍ଯ୍ୟୋଦୟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି କହୁଛନ୍ତି । ଏ ନେଇ ବିବାଦ ସୃଷ୍ଟି ହେବା ପରେ ତ୍ରୁଟିକୁ ସୁଧାରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ଏ ନେଇ ଆଲୋଚନା କରାଯାଇ ତ୍ରୁଟିଶୂନ୍ୟ ନୀତିନିର୍ଘଂଟ କରାଯିବ ।

ଜ୍ୟୋତିର୍ବିଦଙ୍କ କହିବା କଥା ହେଲା, ୮ ତାରିଖରେ ଅପରାହ୍ନ ୨ଟା ୩୮ ମିନିଟ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏହିଦିନ ସୂର୍ଯ୍ୟୋଦୟ ଅର୍ଥାତ ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଡଙ୍ଗାଭସା କାମ ସରିବ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତି ଚୂଡାନ୍ତ କରିଛି ସେଥିରେ ତ୍ରୁଟିଥିବା କହିଛନ୍ତି ଜ୍ୟୋତିର୍ବିଦ ।

ତେବେ ମିଳିଥିବା ସୂଚନା ଅନୁସାରେ, ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀମନ୍ଦିରରେ ସରିବ ସବୁ ନୀତିକାନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ପ୍ରଥମ ଭୋଗମଣ୍ଡପ ବି ଉଠିବ । ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣରେ ରାତିରେ ମହାପ୍ରସାଦ ପ୍ରସ୍ତୁତି ହେବ । ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ କରାଯାଇ ନୀତିକାନ୍ତି ହେବ । ଦେବନୀତି ନିଷେଧ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ ସରିବ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ବଦଳିଲେ ଭକ୍ତମାନେ କେତେ ସମୟ ଧରି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି ।