ଚର୍ଚ୍ଚାରେ ଜୟା ବଚ୍ଚନଙ୍କ ମନ୍ତବ୍ୟ, ନାତୁଣୀଙ୍କୁ ଶିଖାଇଲେ ସମ୍ପର୍କର ପାଠ।

221

କନକ ବ୍ୟୁରୋ: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନଙ୍କ ଆଉ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାପାଇଁ ଶାରୀରିକ ସମ୍ପର୍କ ଜରୁରୀ ବୋଲି ସେ କହିଛନ୍ତି । ଅନ୍ୟ ପଟେ ତାଙ୍କ ନାତୁଣୀ ନବ୍ୟା ଯଦି ବିବାହ ପୂର୍ବରୁ ମା ହୁଅନ୍ତି, ତେବେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ‘ହ୍ୱାଟ୍ ଦି ହେଲ ନବ୍ୟା’ ନାମକ ପୋଡକାଷ୍ଟ ସୋରେ ସେ ଏହି ମନ୍ତବ୍ୟ ରଖିଛନ୍ତି ।

ଜୟା କହିଛନ୍ତି
ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ଶାରୀରିକ ସମ୍ପର୍କ ଜରୁରୀ
ସମ୍ପର୍କ କେବଳ ପ୍ରେମ ଓ ବୁଝାମଣାରେ ହୋଇନଥାଏ
ବିବାହ ନକରି ନବ୍ୟା ମା’ ହେଲେ ତାଙ୍କର ଅସୁବିଧା ନାହିଁ
ତାଙ୍କ ସମୟରେ ସେ ଏପରି ଏକ୍ସପେରିମେଣ୍ଟ କରିପାରିନାହାନ୍ତି
ସେତେବେଳେ ଏ ନେଇ ସେ କେବେ ଭାବିନଥିଲେ
ହେଲେ ବର୍ତ୍ତମାନର ଯୁବପିଢ଼ି ସଂପୂର୍ଣ୍ଣ ଅଲଗା
ରିଲେସନ୍ସିପ୍ରେ ଇମୋସନ୍ ଓ ରୋମାନ୍ସ କମ୍ ନାହିଁ
ଆପଣ ଭଲ ସାଥୀ ସହ ବିବାହ କରିବା ଜରୁରୀ
ସବୁଠୁ ଭଲ ସାଙ୍ଗକୁ ବିବାହ କରିବା ଉଚିତ୍
ଏହା ଦ୍ୱାରା ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ

ଜୟାଙ୍କ ମନ୍ତବ୍ୟକୁ ଯୁବ ସମାଜର କିଛି ବର୍ଗ ସ୍ୱାଗତ କରିଥିବାବେଳେ ଆଉ କିଛି ଏହାକୁ ସମାଲୋଚନା କରିଛନ୍ତି । ସପକ୍ଷରେ ମତ ଦେଇ କିଛି କହିଛନ୍ତି ଯେ ସମାଜ ଏବେ ବଦଳିଯାଇଛି, ନୂତନ ଚିନ୍ତାଧାରା ଲୋକଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି । ଅନ୍ୟପଟେ ବିପକ୍ଷବାଦୀ କହିଛନ୍ତି ଏହା ସମାଜକୁ କଳୁଷିତ କରିବ ଓ ଯୁବଗୋଷ୍ଠୀ ବିପଦଗାମୀ ହେବେ । କିଛି କଥା ଆଇନ ଅନୁଯାୟୀ ସଠିକ ହେଲେ ମଧ୍ୟ ସମାଜରେ ଗ୍ରହଣଯୋଗ୍ୟ ନ ହୋଇପାରେ । ଏପରି ସ୍ଥିତିରେ ତପସ୍ୱିନୀ, ଦୀପିକାଙ୍କ ପ୍ରତିବାଦ ମଧ୍ୟ ଏହି ମନ୍ତବ୍ୟର ନକାରାତ୍ମକ ଦିଗକୁ ଇସାରା କରୁଛି । କିନ୍ତୁ ଏପରି କାର୍ଯ୍ୟ ପରେ ସମାଜ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ମଧ୍ୟ ଯୁବସମାଜର ଆତ୍ମବିଶ୍ୱାସ ଭାଙ୍ଗିଦେବ ବୋଲି କିଛି ସମାଜସେବୀ ମତ ରଖିଛନ୍ତି ।