ଧାମନଗର ରାଜନୀତିରେ ମାନସ ମଲ୍ଲିକ, ରାଜୁଙ୍କ ପ୍ରଚାରରେ ପୂର୍ବତନ ବିଧାୟକଙ୍କ ଫଟୋ। 

181

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଥିବାବେଳେ  ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ନିଆରା ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଦେଖନ୍ତୁ ଏହି ଦୃଶ୍ୟକୁ ଧାମନଗରର ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ଫଟୋକୁ ଧରି ରୋଡ ସୋ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ । ଧାମନଗରରେ ଶନିବାର ଦିନ ରୋଡ ସୋ କରିବା ବେଳେ ମାନସ ମଲ୍ଲିକଙ୍କ ଫଟୋକୁ ଧରି ପ୍ରଚାର କରିଥିଲେ ରାଜୁ ଦାସ ।

୨୦୦୦ ମସିହା ନିର୍ବାଚନରେ ଧାମନଗରରୁ  ସ୍ୱାଧାନ ପ୍ରାର୍ଥୀ ଭାବେ ଲଢି ଜିତିଥିଲେ ମାନସ ରଂଜନ ମଲ୍ଲିକ । ସେତେବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ଥିଲେ ମନମୋହନ ସାମଲ । ଏପରିକି ମନମୋହନଙ୍କ ପାଇଁ ପ୍ରଚାର କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏହା ସତ୍ୱେ ମାନସ ମଲ୍ଲିକ ବିଜୟୀ ହୋଇଥିଲେ, ଯାହା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ମାନସ ମଲ୍ଲିକଙ୍କ ଫଟୋକୁ ଧରି ରାଜୁ ଦାସଙ୍କ ପ୍ରଚାରକୁ ସହଜରେ ଗ୍ରହଣ କରିପାରିନାହିଁ ବିଜେଡି । ହଠାତ୍ ୨୦ ବର୍ଷ ପରେ ସ୍ୱର୍ଗତ ମାନସ ମଲ୍ଲିକଙ୍କ ପତ୍ନୀ ନିରୁପମା ମଲ୍ଲିକ ପ୍ରଚାର ମୈଦାନରେ ଏଣ୍ଟ୍ରି ମାରିଛନ୍ତି । ବିଜେଡି ପାଇଁ ନିରୂପମା ଘର ଘର ବୁଲି ପ୍ରଚାର କରିଛନ୍ତି ।  ନିରୂପମା ଧୁଷୁରୀ ଅର୍ଜୁନପୁର ପଞ୍ଚାୟତରେ ଘରକୁ ଘର ବୁଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । ପୁଅ ଅମିତ ମଲ୍ଲିକ ବି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆଉ ଧାମନଗରରେ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଧାମନଗରରେ ପ୍ରଚାର ସରିବାକୁ ଆଉ ଦୁଇଦିନରୁ କମ ସମୟ ଅଛି । ଏଭଳି ସମୟରେ ମାନସ ମଲ୍ଲିକଙ୍କ ନାଁରେ ଆରମ୍ଭ ହୋଇଥିବା ରାଜନୀତି କାହାକୁ ଫାଇଦା ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।