ଟାଟା ଟି ପ୍ରିମିୟମ୍ ପ୍ୟାକରେ ବାନ୍ଧ କଳାର ଛାପ: ଘରେ ଘରେ ପରିଚିତ ହେବ ବୁଣାକାର ଅଶୋକ ମେହେରଙ୍କ ହାତ ତିଆରି ଟ୍ରାଇବାଲ ଆର୍ଟ ଶାଢ଼ି

1,093

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରୀ ବାନ୍ଧ ଶାଢ଼ିର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତ୍ରୀ ଠାରୁ ଆରମ୍ଭ କରି ଅଭିନେତ୍ରୀ ସମସ୍ତଙ୍କ ପସନ୍ଦ ପାଲଟିଛି ସ୍ଥାନୀୟ ତନ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସୋନପୁରୀ ବାନ୍ଧ । ସେ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ ଅବା ବିଦ୍ୟା ବାଲାନ ସମସ୍ତେ ସୋନପୁରୀ ବାନ୍ଧକୁ ପସନ୍ଦ କରି ପିନ୍ଧିଛନ୍ତି । ଏବେ ଭାରତର ପ୍ରମୁଖ ଚା ପ୍ରସ୍ତୁତକାରୀ କମ୍ପାନୀ ଟାଟା ଟି ସୋନପୁରୀ ବାନ୍ଧର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଟାଟା ଟି ପ୍ରିମିୟମ ପ୍ୟାକରେ ସୁବର୍ଣ୍ଣପୁର ବାନ୍ଧକଳାର ଚିତ୍ର । ସୋନପୁର ସଦର ପଟାଭାଡ଼ିର ତନ୍ତଶିଳ୍ପୀ ଅଶୋକ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ବାନ୍ଧ ଶାଢ଼ିଟି ଟାଟା ଟି ପ୍ରିମିୟମ ପ୍ୟାକ୍ର କଭର ଫଟୋ ହୋଇଛି । ଏହା ଦ୍ୱାରା ବାନ୍ଧକଳାର ପ୍ରଚାର ପ୍ରସାର ହେବା ସହ ଘରେ ଘରେ ଲୋକଙ୍କ ଆଦୃତି ଲାଭ କରିପାରିବ । ବୁଣାକାରଙ୍କ ବ୍ୟବସାୟରେ ଉନ୍ନତି ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ବୁଣାକାର । ଏହି ଶାଢ଼ିର ରଙ୍ଗ କପର ସଲଫେଟ୍ ଓ ବ୍ଲାକ୍ । ଏଥିରେ୍ ଟ୍ରାଇବାଲ ଆର୍ଟ ଡିଜାଇନ୍ ରହିଛି ।

୪ ମାସ ତଳେ ଟାଟା ଟି କମ୍ପାନୀର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରୁ ୪ଜଣ ଅଧିକାରୀ ପଟାଭାଡ଼ି ସ୍ଥିତ ଅଶୋକଙ୍କ ଘରକୁ ଆସି ବୁଣାକାର କାମ ଦେଖିଯାଇଥିଲେ । ଅଶୋକଙ୍କ ଠାରୁ ୩ଟି ଶାଢ଼ି ମଧ୍ୟ ନେଇଥିଲେ । ସେହି ତିନୋଟି ଶାଢ଼ି ଭିତରୁ ଟ୍ରାଇବାଲ ଡ଼ିଜାଇନର ଶାଢ଼ିକୁ ଟାଟା ଟି ପ୍ରିମିୟମ ପ୍ୟାକରେ ସ୍ଥାନୀତ କରାଯାଇଛି । ଖାଲି ଏତିକି ନୁହେଁ ଉକ୍ରଳ ଦିବସ ଅବସରରେ ତନ୍ତଶିଳ୍ପୀ ଅଶୋକ ମେହେରଙ୍କୁ କମ୍ପାନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ସୋନପୁରୀ ବାନ୍ଧକଳା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନି ଶ୍ରେଣୀର ଲୋକଙ୍କ ପର୍ଯ୍ୟନ୍ତ ଆଦୃତ ହୋଇପରିଛି । ଏବେ ଟାଟା ଟି ଭଳି ବ୍ୟବସାୟିକ ଅନୁଷ୍ଠାନ ଏହାର ପ୍ରଚାର ପ୍ରସାରରେ ସହଯୋଗର ହାତ ବଢ଼ାଇବା ବୁଣାକାରଙ୍କ ବିକାଶରେ ସହାୟକ ହେବ ବୋଲି କୁହାଯାଉଛି ।