୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ସ୍ୱତନ୍ତ୍ର ବିମାନରେ ନାମ୍ବିଆରୁ ଆଣିଲା ଭାରତ

86

କନକ ବ୍ୟୁରୋ : ୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ବିମାନ ଯୋଗେ ନାମିବ୍ୟାର ଏହି ୮ ଚିତା ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ ଏହି ଆଫ୍ରିକୀୟ ଚିତା ବାଘ ଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି । ୧୯୫୨ରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା । କିନ୍ତୁ ପୁଣିଥରେ ଚିତା ବାଘ କିପରି ଅଣାଯିବ ସେ ନେଇ ପ୍ରୟାସ କରାଯାଇନଥିବା ମୋଦୀ କହିଛନ୍ତି । ସେପଟେ କଂଗ୍ରେସ ଏକ ଟ୍ୱିଟ୍ କରିଛି । ଆଉ ଏହି ଟ୍ୱିଟ୍ ଜରିଆରେ କହିଛି କେଉଁ ସରକାର ପ୍ରଥମେ ଏହି ଚିତା ଆଣିବାକୁ ପ୍ରୟାସ କରିଥିଲେ ।

ଦୀର୍ଘ ୭୦ ବର୍ଷ ହେଲା ଭାରତରୁ ଚିତା ବାଘ ବଂଶ ଲୋପ ପାଇ ଯାଇଥିଲା । ଏବେ ଏହାକୁ ପୁଣି ବିସ୍ତାର କରିବାକୁ ଯାଇ ନାମିବ୍ୟାରୁ ୩ଟି ଅଣ୍ଡିରା ଓ ୫ଟି ମାଈ ଚିତା ବାଘ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭ୍ୟାରଣ୍ୟରେ ଛଡା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ ଏହି ଆଫ୍ରିକୀୟ ଚିତା ବାଘ ଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି । ଏହାକୁ ସେ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିିଛନ୍ତି । ନାମିବ୍ୟା ସରକାରଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇନଥାନ୍ତି ବୋଲି ମୋଦି କହିଛନ୍ତି । ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘ ଅଣାଯାଇ ଭାରତର ବିଭିନ୍ନ ଜଙ୍ଗଲରେ ଛଡ଼ା ଯିବ ବୋଲି ଜଣାପଡିଛି । ଚିତା ବେକରେ ଲାଗିଛି ରେଡିଓ କଲାର୍, ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜା ଯାଇଛି । ଏହାଦ୍ୱାରା ଜଙ୍ଗଲ ଭିତରେ ଏମାନଙ୍କ ଗତିବିଧି ଉପରେ ନଜର ରଖିବ ପ୍ରଶାସନ । ନାମିବ୍ୟାରୁ ବାଘ ମୁହଁ ପରି ଚିତ୍ରିତ ବିମାନ ଜରିଆରେ ଏହି ଚିତାଙ୍କୁ ଅଣାଯାଇଥିଲା । ସକାଳେ ମଧ୍ୟପ୍ରଦେଶର ଏୟାରବେସରେ ବିମାନ ଅବତରଣ କରିବା ପରେ ଚିନୁକ୍ ହେଲିକପ୍ଟର ଯୋଗେ ବାଘ ଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା ।

ଚିତା ବାଘ ବାଘ ଗୁଡ଼ିକୁ ଛାଡିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୫୨ରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲ।। କିନ୍ତୁ ପୁଣିଥରେ ବାଘ ଗୁଡିକ ପୁର୍ନବାସ ହେବ ତାହା କେହି ଚିନ୍ତା କରିନଥିଲେ । ଏପରି କହି ପୂର୍ବ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ନିଜ ସରକାରର ପ୍ରୟାସ ପାଇଁ ଏବେ ଭାରତ ମାଟିକୁ ଚିତା ଫେରିଛି ବୋଲି ସେ କହିଛନ୍ତି । କିନ୍ତୁ ଏହି ସମୟରେ କଂଗ୍ରେସର ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ତକ୍ରାଳୀନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଚିତା ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ଟ୍ୱିଟ୍ କରି କହିଛି ପ୍ରୋଜେକ୍ଟ ଚିତା ୟୁପିଏ ସରକାରର ପରିକଳ୍ପନା । ୨୦୦୮-୦୯ରେ ୟୁପିଏ ସରକାର ଚିତା ଆଣିବାକୁ ଚିନ୍ତା କରିଥିଲେ । ୨୦୧୦ରେ ଜୟରାମ ରମେଶ ଚିତା ଦେଖିବାକୁ ଆଫ୍ରିକା ଯାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ୨୦୧୩ରେ ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇଥିଲେ । ଆଉ ୨୦୨୦ରେ ହଟିଥିଲା ୨୦୧୩ର ଆଦେଶ ।