ବାଲେଶ୍ୱରରେ ଛତୁ ଚାଷ ଓ ଛତୁ ମଞ୍ଜି ୟୁନିଟ୍ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ସହାୟତା ଯୋଗାଉଛି ମିଶନଶକ୍ତି

217

କନକ ବ୍ୟୁରୋ: ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏଥିରେ ଖର୍ଚ୍ଚ କମ, ଲାଭ ଭଲ । ଛତୁ ଚାଷରେ କମ୍ ପଇସା ଖଟାଇ ଅଳ୍ପ ଦିନ ଭିତରେ ଦୁଇଗୁଣା ଲାଭ ପାଇଥାଆନ୍ତି ଚାଷୀ । ଏଥିପାଇଁ ପ୍ରଥମେ ନଡ଼ାର ଆବଶ୍ୟତା ପଡ଼ିଥାଏ । ଏହାକୁ କାଟି ବେଡ଼ ପ୍ରସ୍ତୁତ କରି ସେଥିରେ ଛତୁ ମଂଜି ଦେଇ ପଲିଥିନରେ ଘୋଡ଼ାଇ ରଖିବାକୁ ପଡ଼େ । ଦିନେ ଦୁଇ ଦିନ ପରେ ପ୍ରସ୍ତୁତ ହୁଏ ଛତୁ । ତେବେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କାସିପଦା ଗାଁର ମିରାବାଇ ଜିପିଏଲଏଫର ୧୭ ଜଣ ମହିଳା ଛତୁ ଚାଷ କରି ଲାଭବାନ ହୋଇଛନ୍ତି । ଏହା ସହ ଅଧୁନିକ ପ୍ରଣାଳୀରେ ଛତୁ ମଞ୍ଜି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ ସରକାରୀ ସହାୟତା ମଧ୍ୟ ପାଇଛନ୍ତି । ଯାହା ଫଳରେ ସେମାନେ ମାସକୁ ୭ ରୁ ୮ ହଜାର ଟଙ୍କା ଲେଖାଏଁ ରୋଜଗାର କରିପାରୁଛନ୍ତି । ଏହାଦ୍ୱାରା ନିଜର ଆବଶ୍ୟକତା ପାଇଁ ସେମାନଙ୍କୁ ଆଉ କାହା ପଖରେ ହାତ ପତାଇବାକୁ ପଡ଼ୁନାହିଁ ।

ପ୍ରଥମେ ଏହି ମହିଳା ମାନେ ଗୁଜୁରାଟର ତତଭମ କମ୍ପାନିରୁ ମଞ୍ଜି ଆଣି ଛତୁ ଚାଷ କରୁଥିଲେ । ଛତୁ ହେବା ପରେ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ ଏବଂ ସୁଖିଲା ଛତୁ ସେହି ତତଭମ କମ୍ପାନିକୁ ମଧ୍ୟ ବିକ୍ରି କରୁଥିଲେ । ଏବେ ନିଜେ ମେସିନ ବସାଇ ଛତୁ ମଞ୍ଜି ପ୍ରସ୍ତୁତ କରୁଛନ୍ତି । ନିଜ ଫର୍ମ ପାଇଁ ମଞ୍ଜି ବ୍ୟବହାର କରିବା ସହିତ ଅନ୍ୟ ଫାର୍ମ ଏବଂ ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଛନ୍ତି । ଆଗରୁ ୨୦୦ ଗ୍ରାମ ମଞ୍ଜିପାଇଁ ୨୦ ଟଙ୍କା ଖର୍ଚ୍ଚ କରୁଥିଲେ । ଏବେ ନିଜେ ମଞ୍ଜି ପ୍ରସ୍ତୁତ କରି ବଜାରରେ ୧୫ ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ୨୦୦ ଗ୍ରାମ ମଞ୍ଜି ପ୍ରସ୍ତୁତ ପାଇଁ ୧୩ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫ ଟଙ୍କାରେ ବିକ୍ରି କରୁଛନ୍ତି । ବ୍ୟବସାୟୀ ମାନେ ସେହି ମଞ୍ଜିକୁ ବଜାର ଚାହିଦା ଅନୁଯାୟୀ ବିକ୍ରି କରି ଲାଭବାନ ହେଉଛନ୍ତି । ଅନ୍ୟପଟେ ଛତୁ ଚାଷ ପାଇଁ ଗୋଟିଏ ବେଡ ପ୍ରସ୍ତୁତ କରିବାକୁ ୫୦-୫୫ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ଶହରୁ ଅଧିକ ଟଙ୍କା ରୋଜଗାର ହେଉଛି । ଗୋଟିଏ ବେଡରୁ ୨କେଜି ରୁ ୩କେଜି ଛତୁ ଅମଳ ହେଉଛି ।

ଘର କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନକରି ଛତୁ ଚାଷ କରିବା ଦ୍ୱାରା ମହିଳା ମାନେ ନିଜେ ରୋଜଗାର କରିବା ସହ ଆତ୍ମନିର୍ଭର ହୋଇଛନ୍ତି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛି ।