ନିଆଳିରେ ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା। ଠିକ୍ ସମୟରେ ମିଳୁନି ଚିକିତ୍ସା ସୁବିଧା।

65

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକରେ ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା । ଏହି ବ୍ଲକରେ ଗୋଟିଏ ପ୍ରାଣୀ ଚିକିତ୍ସାଳୟ ଓ ୧୬ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି । କିନ୍ତୁ ବର୍ଷର ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଠିକ୍ ସମୟରେ ମିଳୁନି ଚିକତ୍ସା ସୁବିଧା । ସମ୍ପୂର୍ଣ୍ଣ ବ୍ଲକରେ ପାଖାପାଖି ୬୦ ହଜାର ପ୍ରାଣୀଙ୍କ ଦାୟିତ୍ୱରେ ଅଛନ୍ତି ଜଣେ ମାତ୍ର ପ୍ରାଣୀ ଚିକିତ୍ସକ । ୨ଟି ଭିଏସ, ୫ଟି ଏଲଆଇ ଓ ୧୧ଟି ଆଟେଣ୍ଡାଣ୍ଟ ପଦବୀ ଖାଲିପଡ଼ିଛି । ଜଲ୍ଲାରପୁର ଓ ନୂଆଗାଁ ପଞ୍ଚାୟତରେ ୨ଟି ପ୍ରାଣୀଧନ ସହାୟକ କେନ୍ଦ୍ର ଉଦଘାଟନ ପରେ ବି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ହସ୍ତାନ୍ତର ହୋଇନଥିବା ଅଭିଯୋଗ ହୋଇଛି । ଏହା ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ବ୍ଲକରେ ଥିବା ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀ ସହାୟକ କେନ୍ଦ୍ରରେ କର୍ମଚାରୀ ଅଭାବ ଯୋଗୁଁ ବର୍ଷର ଅଧିକାଂଶ ସମୟରେ ତାଲା ଝୁଲୁଛି । ଅନେକ ସମୟରେ ଗାଇ, ଗୋରୁ, ମଇଁଷି, ଛେଳି, ମେଣ୍ଢା ଭଳି ଗୃହପାଳିତ ପଶୁ ଭିନ୍ନ ଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଫଳରେ ଗୃହପାଳିତ ପଶୁ ରଖି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।