ପଦ୍ମ ଧରିବେ କି ରାସେଶ୍ୱରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

266

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସମ୍ବଲପୁର । ଏହି ଲୋକସଭା ଆସନରେ ହାଇପ୍ରୋଫ୍ରାଇଲ ଲଢେଇ ହେଉଛି । ଏହି ସମୟରେ ବିଜେଡି ଛାଡିଥିବା
ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର । କିନ୍ତୁ ନିର୍ବାଚନ ସମୟରେ ଏଭଳି ସାକ୍ଷାତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।

ମଙ୍ଗଳବାରଦିନ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଥିଲେ । କୁହାଯାଇଥିଲା, ରାସେଶ୍ୱର ସମ୍ବଲପୁର ବିଧାନସଭା ପାଇଁ ଆଶାୟୀ ଥିଲେ । କିନ୍ତୁ ଟିକେଟ ନ ମିଳିବାରୁ ସେ ଦଳ ଛାଡିଥିଲେ । ଏପରିକି ରାସେଶ୍ୱରୀ କହିଥିଲେ, ସେ ଆଉ ରାଜନୀତି କରିବେ ନାହିଁ ।

ଏବେ କିନ୍ତୁ ଧର୍ମେନ୍ଦ୍ର ରାସେଶ୍ୱରୀଙ୍କ ଘରକୁ ଯାଇ ତାଙ୍କୁ ଭେଟିବା, ଆଶୀର୍ବାଦ ନେବା ଓ ସୋସିଆଲ ମିଡିଆରେ ପ୍ରଶଂସା କରିବା କିଛି ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି ।
-ସମ୍ବଲପୁର ରାଜନୀତିରେ ରାସେଶ୍ୱରୀ ବିଜେଡିର ବଡ ଚେହେରା ଥିଲେ
-ବିଜେପିକୁ ହରାଇ ୨୦୧୪ରେ ବିଧାୟିକା ବି ହୋଇଥିଲେ
-୨୦୧୯ରେ ନିର୍ବାଚନ ଲଢି ହାରିଯାଇଥିଲେ ବି ସଙ୍ଗଠନ ଚଳାଇଥିଲେ
-ସମ୍ବଲପୁରର ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ରାସେଶ୍ୱରୀଙ୍କ ଖ୍ୟାତି ରହିଛି

ତେଣୁ ସମ୍ବଲପୁର ରାଜନୀତିରେ ଖାସ ପ୍ରଭାବ ରଖିଥିବା ରାସେଶ୍ୱରୀଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକ ମତ ଦେଇଛନ୍ତି । ଆଉ ଏହି ସମୟରେ ଧର୍ମେନ୍ଦ୍ର-ରାସେଶ୍ୱରୀଙ୍କ ଭେଟଘାଟ ସମ୍ବଲପୁର ରାଜନୀତି ଉପରେ କି ପ୍ରଭାବ ପକାଉଛି ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ରାସେଶ୍ୱରୀ ପଟ୍ଟ ପରିବର୍ତ୍ତନ କରିବେ ନା ଭେଟଘାଟ ଚର୍ଚ୍ଚା କେବଳ ଚର୍ଚ୍ଚା ଭିତରେ ରହିଯିବ, ତା ଉପରେ ସମସ୍ତଙ୍କ ନଜର ରହିଛି ।