ଚିନ୍ତାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ନିବେଶକ । ୨ ଦିନରେ ବୁଡିଗଲା ୪୭ ହଜାର କୋଟି ଟଙ୍କା

1,874

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଅବସ୍ଥା ଖରାପ ହୋଇଯାଇଛି । ଗତ ୨ ଦିନ ମଧ୍ୟରେ ଏହି ବ୍ୟାଙ୍କର ସେୟାର ୧୩ ପ୍ରତିଶତ ତଳକୁ ଖସିଆସିଛି । ଏହି କାରଣରୁ ନିବେଶକମାନେ ବହୁପରିମାଣର କ୍ଷତି ସହିଛନ୍ତି । ଗୁରୁବାର ଦିନ ଏହାର ସେୟାର ୧୦ ପ୍ରତିଶତ ତଳକୁ ଖସିଥିବା ବେଳେ ଶୁକ୍ରବାର ଦିନ ପାଖାପାଖି ୩ ପ୍ରତିଶତ ତଳକୁ ଖସିଛି ।

ଗୁରୁବାର ଓ ଶୁକ୍ରବାର ମଧ୍ୟରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ସେୟାର ତଳକୁ ଖସିବା କାରଣରୁ ବ୍ୟାଙ୍କର ମାର୍କେଟ୍ କ୍ୟାପରେ ମଧ୍ୟ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଏହି କାରଣରୁ ଦେଶର ଚତୁର୍ଥ ବୃହତ ବ୍ୟାଙ୍କ ତାଲିକାରୁ କୋଟାକ ମହିନ୍ଦ୍ରା ହଟିଯାଇଛି । କୋଟାକ ମହିନ୍ଦ୍ରା ସ୍ଥାନ ଏବେ ଏକ୍ସିସ୍ ବ୍ୟାଙ୍କ ନେଇଛି ।

ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବୁଧବାର ଦିନ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମାର୍କେଟ କ୍ୟାପିଟାଲାଇଜେସନ ୩.୬୬ ଲକ୍ଷ କୋଟି ଟଙ୍କା ଥିଲା । ହେଲେ ଗତ ୨ ଦିନ ମଧ୍ୟରେ ଏହା ୩.୧୯ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଏହାର ଅର୍ଥ ଗୁରୁବାର ଓ ଶୁକ୍ରବାର ଦୁଇଦିନ ମଧ୍ୟରେ ଏହି ବ୍ୟାଙ୍କ ୪୭ ହଜାର କୋଟି ଟଙ୍କା କ୍ଷତି ସହିଛି । ରିଜର୍ଭ ବ୍ୟାଙ୍କ ତରଫରୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଅନଲାଇନ ଗ୍ରାହକ ଯୋଡିବା ସହ ନୂଆ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ଜାରି କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ।