ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା । ବିଜେଡିର ୩, ବିଜେପିର ୭ ଓ କଂଗ୍ରେସ ଏପର୍ଯ୍ୟନ୍ତ ୮ଟି ଆସନ ପାଇଁ କରିନାହାଁନ୍ତି ପ୍ରାର୍ଥୀ ଘୋଷଣା

378

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ପ୍ରାର୍ଥୀ ମୈଦନାକୁ ଓହ୍ଲାଇଲେଣି । କିନ୍ତୁ ଏବେ ବି ବିଜେଡି ସଂପୂର୍ଣ୍ଣ ଟିକେଟ ଘୋଷଣା କରିନାହିଁ । ତିନି ବିଧାନସଭା ଆସନ ଗଣିତ ଏଯାଏଁ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । କୋରେଇ, ଖଣ୍ଡପଡା ଓ ନୀଳଗିରି ବିଧାନସଭା ଆସନକୁ ନେଇ ଅଙ୍କ କଷୁଛନ୍ତି ବିଜେଡି ହାଇକମାଣ୍ଡ ।

କୋରେଇରୁ ବିଧାୟକ ଅଶୋକ ବଳ ଅଛନ୍ତି । ଦଳ ତାଙ୍କୁ ଏଥର ବୋଧେହୁଏ ରିପିଟ୍ କରିବ ନାହିଁ । ଅନ୍ୟପଟେ ଚର୍ଚ୍ଚା ହେଉଛି କୋରେଇ ଟିକେଟ୍ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରିବାରର ଜଣେ ସଦସ୍ୟଙ୍କୁ ମିଳିପାରେ ।

ନୀଳଗିରି- ନୀଳଗିରି ଆସନକୁ ନେଇ ଉଭୟ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ୨୦୧୯ରେ ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ବିଧାୟକ ସୁକାନ୍ତ ନାୟକ ବର୍ତମାନ ବିଜେଡିରେ । ତେଣୁ ଟିକେଟ ଦ୍ୱନ୍ଦ୍ୱ ବଢୁଛି । କେବଳ କୋରେଇ ଓ ନୀଳଗିରି ନୁହେଁ ଖଣ୍ଡପଡା ଆସନର ଜଟିଳ ଅଙ୍କ ମଧ୍ୟ ବିଜେଡିକୁ ଅଡୁଆରେ ପକାଇଥିବା କୁହାଯାଉଛି । ଅନ୍ୟପଟେ ବିଜେଡି କହିଛି ଠିକ୍ ସମୟରେ ଦଳର ସୁପ୍ରିମୋ ଠିକ୍ ନିଷ୍ପତି ନେବେ ।

ବିଜେପି ବର୍ତମାନ ସୁଦ୍ଧା ୭ଟି ବିଧାନସଭା ଟିକେଟ୍ ଝୁଲାଇ ରଖିଛି । ବେଗୁନିଆ-ବୋଲଗଡ, ବାରବାଟୀ-କଟକ, ଭଣ୍ଡାରୀପୋଖରୀ, ବରୀ, ଭୋଗରାଇ, ନୀଳଗିରି, ଘଷିପୁରା । ବେଗୁନିଆ-ବୋଲଗଡ-୨୦୧୯ରେ ରିଷଭ ନନ୍ଦଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏବେ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ପ୍ରାର୍ଥୀ ହୋଇଥିବାରୁ ଅସନ୍ତୁଷ୍ଟ କାଳୁ ଖଣ୍ଡାୟତରାୟଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବାରବାଟୀ-କଟକ- ୨୦୧୯ରେ ବିଜେପି ଟିକେଟରେ ଲଢିଥିବା ସମୀର ଦେ ଅସୁସ୍ଥ । ତେଣୁ ବିଜେଡି ଛାଡି ବିଜେପି ଆସିଥିବା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇପାରେ । ବିଜେପିକୁ ପର୍ଶୁରାମ ଧଡା ଆସିଲା ପରେ ସୋର ନିର୍ବାଚନ ମଣ୍ଡଳୀର ଟିକେଟ ବଦଳାଇବାର ସମ୍ଭାବନା ବଢିଛି । କୁହାଯାଉଛି, ସୋର ଟିକେଟ ପାଇଥିବା ରାଜୁ ଦାସଙ୍କୁ ଭଣ୍ଡାରିପୋଖରୀ ଟିକେଟ ଦିଆଯିବ ଓ ପର୍ଶୁରାମ ଧଡା ସୋରରୁ ପ୍ରାର୍ଥୀ ହେବେ ।

କୁହାଯାଉଛି ନୀଳଗିରି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିିଛି ବିଜେପି । ସେପଟେ ବିଜେପି କହିଛି ଦଳ ବୁଝିବିଚାରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିବ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଟିକେଟ ଘୋଷଣା ହୋଇଥିବା ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଜୋରଦାର ପ୍ରଚାର ଆରମ୍ଭ କଲେଣି । କିନ୍ତୁ ଟିକେଟ ଘୋଷଣା ହୋଇନଥିବା ଅଂଚଳରେ ଆଶାୟୀ ପ୍ରାର୍ଥୀ ଟିକେଟ ମିଳିବ ନା ନାହିଁ ସେହି ଦ୍ୱନ୍ଦ୍ୱରେ ଅଛନ୍ତି, ସେମାନଙ୍କ ସମର୍ଥକମାନେ ମଧ୍ୟ ଅଧର୍ଯ୍ୟ ହୋଇପଡିଲେଣି ।