ଆଖି ବୁଜିଲେ ଭାସ୍କର ସାର୍ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହରାଇ କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।

186

କନକ ବ୍ୟୁରୋ: ଆଖିବୁଜିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ଦାସ । ୟୁନିଭରସିଟି ହାଇସ୍କୁଲ,ବାଣୀବିହାରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଭାସ୍କର ସାର୍ । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୦ଟାରେ ବୁଦ୍ଧେଶ୍ୱରି କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭାସ୍କର ସାରଙ୍କ ଦେହାନ୍ତ ହୋଇଛି ।

୧୯୨୩ ମସିହାରେ ଆଠଗଡ଼ ରାଧାଦର୍ଶନପୁର ଗ୍ରାମରେ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଭାସ୍କର ସାର୍ ଜୀବନରେ ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ସମସ୍ତଙ୍କ ଆଦର୍ଶ ପାଲଟିଥିଲେ । ପ୍ରଥମେ ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ ଓ ପରେ ୟୁନିଭରସିଟି ହାଇସ୍କୁଲ, ବାଣୀବିହାରର ପ୍ରଧାନ ଶିକ୍ଷକ ପଦରୁ ୧୯୮୬ ରେ ଅବସର ଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବେ ସମାଜ ରେ ବହୁତ୍ ସମ୍ମାନ ଥିଲା । ଇଂରାଜୀ ବ୍ୟାକରଣ, ଅନୁବାଦ,ଅନ୍ୟାନ୍ୟ ପୁସ୍ତକ ପ୍ରକାଶ କରିବା ସହ ମାଧ୍ୟମିକ ଶିକ୍ଷା ପରିଷଦର ଇଂରାଜୀ ପୁସ୍ତକର ଏଡିଟୋରିଆଲ ବୋର୍ଡର ସଭ୍ୟ ମଧ୍ୟ ଥିଲେ ।

କେବଳ ଶିକ୍ଷା ନୁହେଁ ସାମାଜ ସେବା କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଓ ସଚ୍ଚୋଟ ମଣିଷଙ୍କର ବନ୍ଧୁ ହିସାବରେ ସେ ସୁପରିଚିତ ଥିଲେ । ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ବହୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅବର୍ତ୍ତମାନରେ ଛାତ୍ର ସମାଜ ଶୋକାଭିଭୂତ ।